ବାଲ୍ୟ ବିବାହକୁ ବିରୋଧ: ଆର୍ଥିକ ଅନଗ୍ରସର ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ଜରୁରୀ

ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର)- ତିଳେଇବଣି ବ୍ଲକ ଛେପିଲିପାଲି ଗ୍ରାମପଞ୍ଚାୟତ ଅଧୀନ ବୁଢିବିଲ ଆମ୍ବତୋଟାରେ ଗୋପାଳ ଚନ୍ଦ୍ରିକା ସମାଜ, କୁଶପଙ୍ଗା ଗ୍ରୁପ୍‌ର ବାର୍ଷିକ ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍‌ ସଭାପତି ଶୂନ୍ୟଚନ୍ଦ୍ର ବଣିଚୁଳଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ଉତ୍କଳ ଯାଦବ ମହାସଭାର ନବନିଯୁକ୍ତ ସାଧାରଣ ସମ୍ପାଦକ ରଞ୍ଜନ ଉଦାବର, ଉପଦେଷ୍ଟା ବିଷ୍ଣୁଚରଣ ପ୍ରଧାନ, ପୂର୍ବତନ ଜିଲା ସଭାପତି ସ୍ବପ୍ନେଶ୍ୱର ମହାକୁଳ ଯୋଗଦେଇଥିଲେ। ଏଥିରେ ଗୋପାଳ ଚନ୍ଦ୍ରିକା ସମାଜର ପିଲାଙ୍କ ଉଚ୍ଚଶିକ୍ଷା, ପାରମ୍ପରିକ ଲଉଡି ଖେଳର ପ୍ରଚାରପ୍ରସାର, ବାଲ୍ୟ ବିବାହକୁ ବିରୋଧ, ନିଶା ନିବାରଣ ଓ ସମାଜରେ ଥିବା ଆର୍ଥିକ ଅନଗ୍ରସର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ଯଥାସାଧ୍ୟ ସହଯୋଗ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା। ଗ୍ରୁପ୍‌ ସମ୍ପାଦକ ଟୁନାଚନ୍ଦ୍ର ଛତ୍ରିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ସଭାରେ ଶୁନ୍ୟଚନ୍ଦ୍ର ମହାକୁଳ ବାର୍ଷିକ ବିବରଣୀ ପାଠ କରିଥିଲେ। କୁଶପଙ୍ଗା, କଦଳୀପାଳ, ବୁଢିବିଲ, କଦମ୍ବଦର୍ହ, ଛେପିଲିପାଲି, ଖୁଣ୍ଟିଆପାଲି ଓ ସୁଗୁଡା ଆଦି ଗ୍ରାମର ବହୁ ସଦସ୍ୟ ଓ କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ।