ଭୁବନେଶ୍ୱର,୧୨ା୯(ରବିନାରାୟଣ ଜେନା): ଚଳିତମାସ ୧୮ରୁ ୨୫ ତାରିଖ ଯାଏ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏଥିନେଇ ସେପ୍ଟେମ୍ବର ୧୬ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ରହିଥିବାବେଳେ ବିରୋଧୀମାନେ ଏହି ଅଧିବେଶନ ବେଳେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।
ଗୁରୁବାର ଲୋକସେବା ଭବନରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍ତି, ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ। ଅଧିବେଶନଟି ସ୍ବଳ୍ପ ସମୟର ହେଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ରହିଛି। ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଅଧିବେଶନ ପୂର୍ବରୁ ସବୁ ଦଳର ସଦସ୍ୟଙ୍କୁ ନେଇ ବାଚସ୍ପତି ବୈଠକ କରିବେ। ଏହି ସମୟରେ ଗୃହ କିପରି ସୁରୁଖୁରୁରେ ଚାଲିବ ତାହା ଉପରେ ବିସ୍ତୃତ ଆଲୋଚନା ହେବ। ଗୃହ କାର୍ଯ୍ୟରେ ସହଯୋଗ କରିବାପାଇଁ ବିରୋଧୀ ସଦସ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଧିବେଶନକାଳରେ ବିରୋଧୀ ଯେଉଁସବୁ ଗଠନମୂଳକ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହିଁବେ ତାହା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି; ଯେଉଁଥିପାଇଁ ସରକାର ମୌସୁମୀ ଅଧିବେଶନ ପାଇଁ ପଛଘୁଞ୍ଚା ଦେଉଥିଲେ। ଏବେ ଏହି ସ୍ବଳ୍ପ ଅଧିବେଶନ ବେଳେ କଂଗ୍ରେସ ପକ୍ଷରୁ ନାରୀ ନ୍ୟାୟ ସହିତ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବ। ଏହାସହିତ ଚାଷୀ, ଆଦିବାସୀ, ଦଳିତଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବଠାରୁ ଆରମ୍ଭ କରି ଛାତ୍ର ସଂସଦ ନିର୍ବାଚନ ପର୍ଯ୍ୟନ୍ତ ବହୁତ କିଛି ପ୍ରସଙ୍ଗ କଂଗ୍ରେସ ଆଣିବ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ ପ୍ରମୁଖ ବିରୋଧୀଦଳ ବିଜେଡି ଏହି ଅଧିବେଶନରେ ଦଳର ଆଭିମୁଖ୍ୟ କ’ଣ ରହିବ ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ଏସମ୍ପର୍କରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଖୁବ୍ଶୀଘ୍ର ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେବ ଏବଂ ତାହା ରାଜ୍ୟବାସୀ ଜାଣି ପାରିବେ।