**EDS: IMAGE MADE AVAILABLE FROM ECB** Chennai: England team crickter Ben Foakes sanitizes his hands during a training session at MA Chidambaram Stadium, Chennai, Sunday, Jan. 31, 2021. (ECB/PTI Photo) (PTI01_31_2021_000266B)
ଚେନ୍ନାଇ, ୨।୨-ଦୀର୍ଘ ୨ ବର୍ଷ ବ୍ୟବଧାନରେ ଇଂଲଣ୍ଡ ଉଇକେଟ କିପର ବେନ୍ ଫୋକ୍ସଙ୍କ ପାଇଁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଜୋସ୍ ବଟଲରଙ୍କୁ ବିଶ୍ରାମ ଦିଆଯିବାର ଯୋଜନା ରହିଛି। ଏପରି ସ୍ଥଳେ ଫୋକ୍ସ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ଟେଷ୍ଟରେ ଇଂଲଣ୍ଡ ପକ୍ଷରୁ ଉଇକେଟ କିପିଂ କରିବେ। ଏହା ଆପାତତଃ ସ୍ଥିର ହୋଇଥିବାବେଳେ କେବଳ ଡାକରାକୁ ଅପେକ୍ଷା କରିଛନ୍ତି ଫୋକ୍ସ। ୨୦୧୮ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟେଷ୍ଟ ପଦାର୍ପଣ କରିଥିଲେ ଏହି ଉଇକେଟ କିପର। ଏଥିରେ ଇଂଲଣ୍ଡ କ୍ଲିନ ସୁଇପ୍ କରିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ଆହତ ହୋଇ ନ ଥିଲେ ହେଁ ଏହାପରେ ଇଂଲଣ୍ଡ ଖେଳିଥିବା ୨୩ଟି ଟେଷ୍ଟରେ ସେ ମାତ୍ର ୨ଟିରେ ସୁଯୋଗ ପାଇଥିଲେ। ପ୍ରକୃତ କଥା ହେଲା ଜନି ବେୟାରଷ୍ଟୋ ଓ ଜୋସ୍ ବଟଲରଙ୍କ ଉପସ୍ଥିତିରେ ଫୋକ୍ସ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇ ପଡ଼ିଛି। ମାତ୍ର ଏବେ ସୁଯୋଗ ଆସିଥିବାରୁ ଫୋକ୍ସ ନିଜକୁ ପ୍ରମାଣିତ କରିବାର ସମୟ ଆସିଛି। ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ପଦ୍ଧତି ଅନୁସାରେ ବେୟାରଷ୍ଟୋ ଭାରତ ଆସି ନାହାନ୍ତି। ବଟଲର ପ୍ରଥମ ଟେଷ୍ଟ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଫଳରେ ଦ୍ୱିତୀୟ ଟେଷ୍ଟଠାରୁ ଫୋକ୍ସ ଉଇକେଟ କିପିଂ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଫୋକ୍ସ ସମ୍ପ୍ରତି ଭାରତରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି।