ଅପରେଶନ ଶୁଦ୍ଧି ପ୍ରଭାବ: ୨୮.୩୭୫ କିଲୋ ଗଞ୍ଜେଇ ଜବତ, ୯ ଗିରଫ

ନୂଆପଡା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଜାରି ରହିଛି। ଗୁରୁବାର ଅପରେଶନ ଶୁଦ୍ଧି ଚାଲିଥିବା ସମୟରେ ଜୋଙ୍କ ଥାନା ପୋଲିସକୁ ପୁଣି ବଡ଼ ସଫଳତା ମିଳିଛି ା ଚଢ଼ାଉ ବେଳେ ୧୪ ପ୍ୟାକେଟ ତଥା ୨୮ କିଲୋ ୩୭୫ ଗ୍ରାମ ଗଞ୍ଜେଇ ସହ ୯ଟି ମୋବାଇଲ  ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ନଗୁର ଜିଲା ଜୋରଗାରାପୁର ଗାଁର ରଘୁବୀର ସିଂ (୨୯), ଶିଖର ଜିଲା ଗୋରିୟାନ ଗାଁର ଶକ୍ତି ସିଂ ସେଖୟାତ (୨୫), ନଗୁର ଜିଲା ମେରତା ରୋଡ୍‌ର ଜୀବରାଜ ସିଂ (୨୨), ନଗୁର ଜିଲା ମୈଦାନ ଗାଁର ଅନିଶ ଖାନ (୨୦), ଜୟପୁର ଜିଲା ସମ୍ବାର ଗାଁର ଜିତେନ୍ଦ୍ର କୁମାର ଅଟଲ (୨୪), ହତୋସ ଗାଁର ସଞ୍ଜୟ କୁମାର ସାନି (୩୧)ଙ୍କ ସହ ନୂଆପଡ଼ା ଜିଲା କୋମନା ଥାନା ଜେଠୁପାଲି ଗାଁର ବିଦୁର ଦୁରିଆ (୨୯), ଖରିଆର ରୋଡ୍‌ ସହରର ରାଜୁ ସାହୁ (୩୫) ଓ ମୁନା ସାହୁ (୫୫) ବୋଲି ପୋଲିସ ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ଖରିଆର ରୋଡ୍‌ ସହର ମୋଙ୍ଗରାପାଲି ଟ୍ରେନ୍‌ ଫାଟକ ବ୍ରିଜ୍‌ ନିକଟରେ ଏକ ଗୋଷ୍ଠୀ ବେଆଇନ ଭାବରେ ଗଞ୍ଜେଇ କାରବାର କରୁଥିବା ପୋଲିସକୁ ସୂଚନା ମିଳିଥିଲା। ସେଠାରୁ ପ୍ରତିଦିନ ଗଞ୍ଜେଇ ପୁଡ଼ିଆକରି ଠେଲାରେ ବିକ୍ରୟ କରିବା ସହ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏସ୍‌ପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜୋଙ୍କ ଥାନାଧିକାରୀ ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଖରିଆର ରୋଡ୍‌ ସହରର ମୋଙ୍ଗରାପାଲି ଟ୍ରେନ୍‌ ଫାଟକ ବ୍ରଜ୍‌ ନିକଟରେ ଚଢ଼ାଉକରି ଗଞ୍ଜେଇ ଜବତ କରିଥିଲେ। ସୂଚନାଯୋଗ୍ୟ, ବିଦୁରଙ୍କଠାରୁ ଗଞ୍ଜେଇ କ୍ରୟକରି ରାଜୁ ଓ ମୁନା ଠେଲା ଖୋଲି ଛୋଟ ଛୋଟ ପୁଡ଼ିଆ ତିଆରିକରି ବିକ୍ରୟ କରୁଥିବା ବେଳେ ରାଜସ୍ଥାନୀମାନେ ଅନ୍ୟ ରାଜ୍ୟକୁ ନେଇ ବିକ୍ରି କରୁଛନ୍ତି ା ବିଦୁର ଅନ୍ୟ ରାଜ୍ୟରୁ କିଣି ଆଣି ଏମାନଙ୍କୁ ଯୋଗାଉଥିଲେ। ସମ୍ମିଳନୀରେ ଏସ୍‌ପି ରାଘବେନ୍ଦ୍ରଙ୍କ ସମେତ ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ, ଜୋଙ୍କ ଥାନା ଅଧିକାରୀ ଧରୁଆ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ା