ଭୁବନେଶ୍ୱର,୨୧।୭: ବୋତଲରେ ପେଟ୍ରୋଲ, ଡିଜେଲ ମନା ପ୍ରସଙ୍ଗ ନେଇ ସୋମବାର ସନ୍ଧ୍ୟାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ବୈଠକ ଡକାଇଛନ୍ତି। ଏହି ବୈଠକ ଲୋକସେବା ଭବନରେ ବସିବ।
ବୈଠକରେ ପେଟ୍ରୋଲ ପମ୍ପ ସଂଘ ଏବଂ ବିଭାଗୀୟ ଅଧିକାରୀ ସାମିଲ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବୈଠକରେ କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ ପାଇବେ ସେନେଇ ଆଲୋଚନା କରାଯିବ। ଅନ୍ୟପକ୍ଷେ ଏକ ନୂଆ ଗାଇଡଲାଇନ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।
ଓଡ଼ିଶାରେ ପେଟ୍ରୋଲ ପମ୍ପଗୁଡ଼ିକରେ ଖୋଲା ବୋତଲ କିମ୍ବା ପାତ୍ରରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲରସ ଆସୋସିଏଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏପରିକି କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ପେଟ୍ରୋଲ ଭରାଯିବ। ଏହି ନିଷ୍ପତ୍ତି ଜୁଲାଇ ୨୧, ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲରସ ଆସୋସିଏଶନର ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।
ସାହୁ କହିଛନ୍ତି , ପୂର୍ବରୁ ମଧ୍ୟ ଏହି ନିୟମ ଥାଇ ପାଳନ ହେଉ ନ ଥିବା ଦେଖାଯାଇଥିଲା। ବାଲେଶ୍ୱର ଏବଂ ବଳଙ୍ଗାରେ ସମ୍ପ୍ରତି ଘଟିଥିବା ଅଘଟଣ ପରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲିୟମ ଡିଲରସ ଆସୋସିଏଶନ ନିଷ୍ପତ୍ତି ନେଇଥିଲା। ଖୋଲା ପାତ୍ରରେ ପେଟ୍ରୋଲ ଦେବା ଯୋଗୁ ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ଅଘଟଣ ଘଟୁଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି।
ବାଲେଶ୍ୱର ଓ ବଳଙ୍ଗାରେ ଘଟିଥିବା ଅଘଟଣ ସମ୍ପର୍କରେ ସୂଚନା ଅନୁଯାୟୀ, ଖୋଲା ପାତ୍ରରେ ପେଟ୍ରୋଲ ନେବା ସମୟରେ ଅସାବଧାନତା ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଜନମାନସରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାଗୁଡ଼ିକ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିଲା। ତେଣୁ, ଏହାକୁ ରୋକିବା ପାଇଁ ଆସୋସିଏଶନ ଏହି କଡ଼ା ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
ଏହା ସହିତ, ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକମାନଙ୍କୁ ମଧ୍ୟ ନିୟମ ପାଳନ କରି କେବଳ ଗାଡ଼ିରେ ପେଟ୍ରୋଲ ଭରିବାକୁ ଅନୁରୋଧ କରାଯାଇଛି। ଏହା ଦ୍ୱାରା ସୁରକ୍ଷା ସହ ପେଟ୍ରୋଲ ପମ୍ପରେ ଅଘଟଣ ରୋକିବାରେ ସହାୟକ ହେବ ବୋଲି ଆସୋସିଏସନ ଆଶା ବ୍ୟକ୍ତି କରିଛି।
ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ପେଟ୍ରୋଲିୟମ ଡିଲରସ ଆସୋସିଏଶନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି।