‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ଏହି ବାର୍ତ୍ତାରେ ଯେଉଁ ମଧ୍ୟସ୍ଥତା କରୁଛି, ତାହାକୁ ନେଇ ଥରୁର ଥଟ୍ଟା କରି କହିଛନ୍ତି ଯେ, ଆମେରିକା ସହ ପାକିସ୍ତାନ ଯେଉଁ ଭୂମିକା ନିଭାଉଛି, ତାହା “କେବଳ ପାକିସ୍ତାନ ହିଁ କରିପାରେ”।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ (ପୂର୍ବରୁ ଟୁଇଟର)ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମ୍ବୋଧିତ କରି ଏକ ପୋଷ୍ଟ କରିଥିଲେ। ଏଥିରେ ଭୁଲବଶତଃ “Draft  Message of PM of Pakistan” ଲେଖା ହୋଇଥିଲା। ଏହାକୁ ନେଇ ଥରୁର କହିଛନ୍ତି, “ମୋତେ ଲାଗୁଛି ଆମେରିକା ହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତ୍ତା ପୋଷ୍ଟ କରିବାକୁ କହିଥିଲା, ନଚେତ କେହି କାହିଁକି ନିଜ ପୋଷ୍ଟରେ ’ଡ୍ରାଫ୍ଟ’ ବୋଲି ଲେଖିବେ? ସେଥିରେ ବ୍ୟବହୃତ ଶବ୍ଦ ଏବଂ ଶୈଳୀରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଥିରେ ଆମେରିକାର ସମ୍ପୃକ୍ତି ରହିଛି।”
ଏକ ରିପୋର୍ଟ ଅନୁସାରେ, ଶେହବାଜ ଶରିଫଙ୍କ ଏହି ଆବେଦନ ହଠାତ ନ ଥିଲା। ଏହା ହ୍ବାଇଟ ହାଉସର ମଞ୍ଜୁରୀ ପରେ ଏକ ସୁଚିନ୍ତିତ କୂଟନୈତିକ ପ୍ରୟାସ ଥିଲା। ସୂତ୍ର ଅନୁସାରେ, ପୋଷ୍ଟଟି ଜାରି ହେବା ପୂର୍ବରୁ ହୱାଇଟ ହାଉସ ଏହାକୁ ଯାଞ୍ଚ କରିଥିଲା, ଯାହା ପରଦା ପଛରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଗଭୀର ସମନ୍ବୟକୁ ସୂଚାଉଛି।
ଥରୁର କହିଛନ୍ତି ଯେ, ଭାରତ ପାକିସ୍ତାନର ଏହି ଭୂମିକାକୁ ପ୍ରତିଦ୍ୱନ୍ଦ୍ୱିତା ଭାବେ ଦେଖିବା ଉଚିତ ନୁହେଁ। ଯଦି ଶାନ୍ତି ପ୍ରତିଷ୍ଠା ହୁଏ, ତେବେ କିଏ ଏହାକୁ ଆଣୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଯଦି ଏହି ପ୍ରୟାସ ବିଫଳ ହୁଏ, ତେବେ ତାହାର କାରଣ ବିଶ୍ଳେଷଣ ହେବା ଜରୁରୀ।
କହିରଖୁଛୁ, ଇସଲାମାବାଦରେ ଶନିବାର ବିଳମ୍ବିତ ରାତିରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି।  ଇରାନ ସରକାରଙ୍କ ସୂଚନା ଅନୁସାରେ, ପାକିସ୍ତାନର ମଧ୍ୟସ୍ଥତାରେ ପ୍ରାୟ ୧୪ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ହେଲେ ଏବେ ଏହା ବିଫଳ ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି।
Dharitri – Odisha’s No.1 Odia Daily