ନୂଆଦିଲ୍ଲୀ,୮।୪: ଭାରତୀୟ ପାଇଲଟମାନଙ୍କର ଛଅ ବର୍ଷର ଲମ୍ବା ଆଇନଗତ ଏବଂ ନୈତିକ ଲଢ଼େଇ ଶେଷରେ ଫଳପ୍ରଦ ହୋଇଛି। ଏକ ଐତିହାସିକ ରାୟରେ, ଦିଲ୍ଲୀ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ୧ ଜୁଲାଇ, ୨୦୨୫ ଠାରୁ ନୂତନ ଡ୍ୟୁଟି ଏବଂ ବିଶ୍ରାମ ମାନଦଣ୍ଡକୁ ବାଧ୍ୟତାମୂଳକ ଭାବରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କେବଳ ପାଇଲଟମାନଙ୍କୁ ଭଲ ଆରାମ ପ୍ରଦାନ କରିବ ନାହିଁ ବରଂ ଉଡ଼ାଣର ସୁରକ୍ଷା ମାନଦଣ୍ଡରେ ଏକ ବଡ଼ ଉନ୍ନତି ଆଣିବାର ଆଶା କରାଯାଉଛି।
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ପାଇଲଟମାନଙ୍କୁ ପ୍ରତି ସପ୍ତାହରେ ଅତି କମରେ ୪୮ଘଣ୍ଟା ବିଶ୍ରାମ ବାଧ୍ୟତାମୂଳକ ଭାବରେ ଦିଆଯିବ। ପୂର୍ବରୁ ଏହି ଅବଧି ମାତ୍ର ୩୬ ଘଣ୍ଟା ଥିଲା, ଯାହା କାରଣରୁ ପାଇଲଟମାନଙ୍କ କ୍ଳାନ୍ତି ଏବଂ ମାନସିକ ଚାପ ନିରନ୍ତର ବୃଦ୍ଧି ପାଉଥିଲା।
ରାତି ଡ୍ୟୁଟିର ସମୟ ସୀମା ମଧ୍ୟ ୧ ନଭେମ୍ବର, ୨୦୨୫ ଠାରୁ ମଧ୍ୟରାତ୍ରିରୁ ସକାଳ ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯାହା ପୂର୍ବରୁ କେବଳ ସକାଳ ୫ଟା ପର୍ଯ୍ୟନ୍ତ ଥିଲା। ଏହା ସହିତ, ଏବେ ଜଣେ ପାଇଲଟ ରାତି ଡ୍ୟୁଟି ସମୟରେ ସର୍ବାଧିକ ଦୁଇଥର ଅବତରଣ କରିପାରିବେ।
ବିମାନ କମ୍ପାନୀଗୁଡ଼ିକ ନୂତନ ନିୟମର ବିରୋଧ କରି କହିଥିଲେ ଯେ ଏହା କର୍ମଚାରୀଙ୍କ ଆବଶ୍ୟକତା ବୃଦ୍ଧି କରିବ, ଉଡ଼ାଣ ସମୟସୂଚୀକୁ ପ୍ରଭାବିତ କରିବ ଏବଂ ଭଡ଼ା ବୃଦ୍ଧି କରିବ। ଡିଜିସିଏ ମଧ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇ ନିୟମଗୁଡ଼ିକୁ ‘ସାମୟିକ ଭାବରେ ସ୍ଥଗିତ’ କରିଦେଇଥିଲା ଏବଂ ଏୟାରଲାଇନ୍ସଗୁଡ଼ିକୁ ଏକ ସୁବିଧାଜନକ ସମୟସୀମା ମାଗିଥିଲା। ଏହି ପଦକ୍ଷେପ ପାଇଲଟମାନଙ୍କ ଧୈଯ୍ୟର ପରୀକ୍ଷା ହୋଇଗଲା ଏବଂ ସେମାନେ ପୁଣି ଥରେ କୋର୍ଟର ଦ୍ୱାରସ୍ଥ ହେଲେ। ଦିଲ୍ଲୀ ହାଇକୋର୍ଟ କଠୋର ମତ ଗ୍ରହଣ କରି କହିଛନ୍ତି ଯେ ଜୁଲାଇ ୧ ତାରିଖର ସମୟସୀମା ସହିତ କୌଣସି ପ୍ରକାରର ସାଲିସ କରାଯିବ ନାହିଁ। ବିମାନ କମ୍ପାନୀଗୁଡ଼ିକୁ ୧୫ ଦିନ ମଧ୍ୟରେ DGCA ନିକଟରେ ସେମାନଙ୍କର କାର୍ଯ୍ୟ ଯୋଜନା ଦାଖଲ କରିବାକୁ ପଡିବ। ଯଦି ଡିଜିସିଏ ସମୟସୀମା ଉଲ୍ଲଂଘନ କରେ, ତେବେ ପାଇଲଟ ୟୁନିଅନଗୁଡ଼ିକ ପୁଣି ଥରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ।