Sad depressed young girl victim of cyberbullying by mobile smart phone sitting on stairs feeling lonely, unhappy, hopeless and abused. Bullied by text message. Dark light
ନୂଆଦିଲ୍ଲୀ,୨୩ା୧(ପି.ଟି.): ଅନ୍ଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢ଼ିବାରେ ଲାଗିଛି। ୨୦୨୪ରେ ବିଶ୍ୱରେ ପ୍ରତି ୧୨ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍ ଜରିଆରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଲାନ୍ସେଟ୍ ଚିଲ୍ଡରେନ୍ ଏବଂ ଆଡୋଲେସେଣ୍ଟ ହେଲ୍ଥ ଜର୍ନାଲରେ ପ୍ରକାଶ ପାଇଛି।
ଏଡିନ୍ବର୍ଗ ଓ ଚାଇନା ଏଗ୍ରିକଲ୍ଚରାଲ ୟୁନିଭର୍ସିଟି ପକ୍ଷରୁ ୨୦୧୦ରୁ ୨୦୨୩ ମଧ୍ୟରେ ୧୨୩ଟି ଅଧ୍ୟୟନକୁ ସମୀକ୍ଷା କରାଯାଇଥିଲା। ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବିଶ୍ୱର ପ୍ରତି ୮ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍ରେ ଫଟୋଭିତ୍ତିକ ଯୌନ ଉତ୍ପୀଡ଼ନର ଶିକାର ହେଉଥିଲେ। ପ୍ରାୟ ସମାନ ସଂଖ୍ୟକ ଶିଶୁ ଅନ୍ଲାଇନ୍ ଲୋଭରେ ପଡ଼ି ଯୌନ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହେଉଥିଲେ। କିନ୍ତୁ ଗତବର୍ଷ ଏଭଳି ପିଲାଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିଲା ବୋଲି ଗବେଷକମାନେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଦକ୍ଷିଣ ଏସିଆ ସମେତ କେତେକ ଅଞ୍ଚଳରେ ଏହାର ପ୍ରମାଣ ସୀମିତ କିମ୍ବା ଉପଲବ୍ଧ ହେଉ ନ ଥିବାରୁ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ଏହି ଟିମ୍ ପକ୍ଷରୁ କୁହାଯାଇଛି।
ପୂର୍ବ ଏସିଆ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆରେ ଶିଶୁଙ୍କ ପ୍ରତି ହେଉଥିବା ଅନ୍ଲାଇନ ଯୌନ ଉତ୍ପୀଡ଼ନ ସମ୍ପର୍କିତ ତଥ୍ୟ ମିଳୁନାହିଁ। ଏହି କ୍ଷେତ୍ରଗୁଡ଼ିକରେ ବିଶ୍ୱ ଶିଶୁ ଜନସଂଖ୍ୟାର ଏକ ବଡ଼ ଭାଗ ବସବାସ କରୁଥିବାରୁ ଜାତୀୟ ସ୍ତରରେ ଏନେଇ ଉପଯୁକ୍ତ ଗବେଷଣାର ଆବଶ୍ୟକତା ରହିଥିବା ଟିମ୍ ଉଲ୍ଲେଖ କରିଛି। ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ, ଇଣ୍ଟରନେଟ ଜରିଆରେ ଯୌନ ଉତ୍ପୀଡ଼ନରୁ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଆଇନଗତ ପଦକ୍ଷେପ ଏବଂ ପ୍ରାରମ୍ଭିକ ନିରାକରଣ ଉଦ୍ୟମ ଜରୁରୀ। ରିପୋର୍ଟରେ ଅନ୍ଲାଇନ ଜରିଆରେ ଯୌନ ଉତ୍ପୀଡ଼ନ ଓ ଶୋଷଣକୁ ୪ ପ୍ରକାରରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଅନ୍ଲାଇନ ଯୌନ ଶୋଷଣ (ବିଶ୍ୱରେ ଯୌନ ଶୋଷଣର ୪.୭%), ସେକ୍ସୁଆଲ ଏକ୍ସଟର୍ସନ (୩.୫%), ଫଟୋଭିତ୍ତିକ ଯୌନ ଉତ୍ପୀଡ଼ନ ଓ ଯୌନ କ୍ରିୟା ପ୍ରତି ଲୋଭ। ପୂର୍ବରୁ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଶିକାର ହୋଇଥିବାବେଳେ ଗତବର୍ଷ ପ୍ରାୟ ସମାନ ପରିମାଣର ଝିଅ ଓ ପୁଅ ଏହାର ଶିକାର ହୋଇଥିବା ଉକ୍ତ ରିପୋର୍ଟ ଦର୍ଶାଇଛି।