ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨ ଟିକିଆ ହାତୀପଲ ଆକ୍ରମଣ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଓ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହ ଲଢ଼ୁଛନ୍ତି। ମୃତକ ମହିଳା ହେଲେ ଫୁଲମତି ନାଗ (୪୫)। ସେ ତାଙ୍କ ସ୍ବାମୀ ଗୌତମ ନାଗ ସହ କଣ୍ଟାବାଞ୍ଜି ନିକଟସ୍ଥ ଫୁଲକାନୀ ଗ୍ରାମରୁ ନିଜ ମା’ ଘର ଚହକପଡ଼ାକୁ ଆସିଥିଲେ। ହାତୀପଲ ଘର ଭାଙ୍ଗି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଫୁଲମତିଙ୍କ ମୃତୁ ହୋଇଥିବାବେଳେ ସ୍ବାମୀ ଗୌତମ ନାଗ ଓ ମା’ ଗୁରୁତର ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଗତ ଚାରିଦିନ ହେଲା ବେନ୍ଦେର ଅଞ୍ଚଳରେ ହାତୀପଲ ଘୁରୁଥିବା ସତ୍ତ୍ୱେ ବନବିଭାଗ ଠିକ ଭାବରେ ଲୋକଙ୍କୁ ସଚେତନତା, ମାଇକ ପ୍ରଚାର କିମ୍ବା ସୁରକ୍ଷା ବ୍ୟବସ୍ଥା ନେଇ ନ ଥିବା ଅଭିଯୋଗ ହେଉଛି। ଏହି ଘଟଣାପରେ ବେନ୍ଦେର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।
ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।