ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର ହିସାବକିତାବ ଦେଉଥାଆନ୍ତି। ହଠାତ୍‌ ରାଜା ଟେକାଟିଏ ଧରି ପୋଖରୀକୁ ଛାଟି ଦେଲେ। ସଙ୍ଗେ ସଙ୍ଗେ ଏହା ପାଣିରେ ବୁଡ଼ିଗଲା। ରାଜା ପଚାରିଲେ, ଆପଣମାନେ କହିଲେ ଦେଖି ଟେକାଟି ପାଣିରେ କାହିଁକି ବୁଡ଼ିଗଲା? ଜଣେ କହିଲେ, ଆଜ୍ଞା ଏହା ଅପସାରଣ କରୁଥିବା ପାଣିଠାରୁ ଅଧିକ ଓଜନ, ତେଣୁ ଏହା ବୁଡ଼ିଗଲା। ରାଜା କହିଲେ, ଯାହାହେଉ ଆପଣ ବିଜ୍ଞାନର ଚାଷ ଠିକ୍‌ କରିଛନ୍ତି। ଆଉ ଜଣେ କହିଲେ, ରାଜା ଏତେ ବଳ ଦେଇ ଟେକାଟିକୁ ଛାଟିଦେଲେ, ତାହା ନ ବୁଡ଼ି କ’ଣ ଭାସିବ? ରାଜା ରାଗିଯାଇ କହିଲେ, ତା’ହେଲେ ଆପଣ ମୋର ସାମର୍ଥ୍ୟକୁ ଏଇ ସାମାନ୍ୟ ଟେକା ଛାଟିବା ସହ ତୁଳନାକଲେ? ଏକଥା ଶୁଣି କହିଥିବା ଲୋକ ଜଣକ ଲଜ୍ଜାରେ ମୁହଁ ତଳକୁ କରି ବସିଲେ। ସେଠାରେ ଚା, ଜଳଖିଆ ପରଷୁଥିବା ଲୋକ ଜଣକ କହିଲା, ହଜୁର! ଆପଣ ଯାହାକୁ ଧରିବେ ସେ ହିଁ ଏ ସଂସାରରେ ତିଷ୍ଠିପାରିବ ଆଉ ଉନ୍ନତି କରିବ ଆଉ ଯାହାଠାରୁ ଆପଣ ହାତ କାଢ଼ିନେବେ କିମ୍ବା ହାତ ଛିଞ୍ଚାଡ଼ିଦେବେ ସେ ପାଣିରେ ବୁଡ଼ି ମରିବା ସାର ହେବ। ଆପଣ ଚାହିଁଲେ ଟେକାଟି ଭାସିବ ଏବଂ ଚାହିଁଲେ ବୁଡ଼ିବ। ଏକଥା ଶୁଣି ରାଜା ଘୋଷଣାକଲେ ଇଏ ହିଁ ହେଉଛି ଆମ ରାଜ୍ୟର ପରବର୍ତ୍ତୀ ରାଜ ଉପଦେଷ୍ଟା। ସମସ୍ତେ ରାଜାଙ୍କ ନିଷ୍ପତ୍ତିକୁ ସ୍ବାଗତକଲେ, କିନ୍ତୁ ରାଜା ପଚାରିଥିବା ପ୍ରଶ୍ନଟିର କେଉଁଟି ଠିକ୍‌ ଉତ୍ତର ଏବଂ କେଉଁଠି ପ୍ରଶଂସାର ଅର୍ଘ୍ୟ ପାଇବା ଉଚିତ ତାହା ବୁଦ୍ଧିଜୀବୀ ମହଲରେ ଅବୁଝା ରହିଲା କିମ୍ବା ଜାଣିଶୁଣି ତାହା ଆଲୋଚନାରୁ ବାଦ୍‌ ଦିଆଗଲା ତାହା ଏଠାରେ ବଖାଣିବା ମୂର୍ଖାମି।
ପ୍ରାକୃତିକ ବିଜ୍ଞାନର ନିର୍ଣ୍ଣୟ ଏବଂ ଉତ୍ତର ସର୍ବଦା ଏକ ହୋଇଥିବାବେଳେ ସମାଜ ବିଜ୍ଞାନର ଉତ୍ତର ଭିନ୍ନ ହେବା ସମ୍ଭାବନା ଥାଏ। କାରଣ ସ୍ଥାନ, କାଳ ଓ ପାତ୍ର ଭେଦରେ ମଣିଷର ମନ ପରିବର୍ତ୍ତନଶୀଳ। ଏସବୁ କ୍ଷେତ୍ରରେ କିନ୍ତୁ ବର୍ଷା ଯୁଆଡ଼େ ଛତା ସିଆଡ଼େର ପ୍ରାସଙ୍ଗିକତା ନ ଥାଏ। କାରଣ ବେଳେବେଳେ ବର୍ଷା ହଠାତ୍‌ ତା’ର ଦିଗ ବଦଳାଇ ଦେଇପାରେ କିମ୍ବା ଛତାଟି ହୁଏତ ବର୍ଷାକୁ ସାମ୍ନା କରିବାର ସାମର୍ଥ୍ୟ ରଖି ନ ପାରେ। ତା’ଛଡ଼ା ସୂର୍ଯ୍ୟ ଯଦି ବାଦଲ ଆଚ୍ଛାଦିତ ହୋଇ ଯାଆନ୍ତି ତେବେ ତାଙ୍କର ଉପସ୍ଥିତି ନାହିଁ ବୋଲି କହିହେବ ନାହିଁ। ସେହି ନ୍ୟାୟରେ ଗୋଟିଏ ପ୍ରଶ୍ନର ଉତ୍ତରକୁ ଆମେ ଭିନ୍ନ ଭାବେ ପରିପ୍ରକାଶ କରିପାରନ୍ତି, କିନ୍ତୁ ସତ୍ୟ ଏବଂ ଠିକ୍‌ ଉତ୍ତରକୁ ଚାପିଦେବା କଷ୍ଟକର ବ୍ୟାପାର। ଯଦି ଏହାକୁ ଆମେ ସୂକ୍ଷ୍ମ ଦୃଷ୍ଟିରେ ବିଚାରକରିବା ତା’ହେଲେ ହୁଏତ ସତ୍ୟ ପରିପ୍ରକାଶ ସାମାଜିକ, ଧାର୍ମିକ ତଥା ବୈଜ୍ଞାନିକ ଦୃଷ୍ଟିକୋଣରୁ ଅଲଗା ହୋଇପାରେ। ପ୍ରଶ୍ନ ସାଙ୍ଗରେ ଉତ୍ତର ତାଳମେଳ ଖାଇବା, ସବୁବେଳେ ସମ୍ଭବ ହୋଇ ନ ଥାଏ। ତେଣୁ ପ୍ରଶ୍ନ ଅନୁଯାୟୀ ଉତ୍ତର ବଦଳାଇବା ସବୁବେଳେ ସମ୍ଭବପର ହୋଇ ନ ଥାଏ କିମ୍ବା ତାହା ଠିକ୍‌ ହେବ ବୋଲି କୌଣସି ଯଥାର୍ଥତା ନ ଥାଏ।
ମହାଭାରତ ଯୁଦ୍ଧରେ ପୁତ୍ର ଅଶ୍ୱସ୍ଥମାର ମୃତ୍ୟୁ ଖବର ଶୁଣି ଗୁରୁ ଦ୍ରୋଣାଚାର୍ଯ୍ୟ ଆଉ ଯୁଦ୍ଧ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କେହି ଜଣେ ତାଙ୍କୁ ଉପଦେଶ ଦେଇ କହିଲେ, ଆପଣ ତ ଅଶ୍ୱସ୍ଥମାଙ୍କ ମୃତ ଶରୀର ଦେଖିନାହାନ୍ତି, ଏତେ ବିଚଳିତ କାହିଁକି ହେଉଛନ୍ତି? ଆପଣ ଯୁଧିଷ୍ଠିରଙ୍କୁ ଏହାର ସତ୍ୟାସତ୍ୟ କଥା ପଚାରନ୍ତୁ। ଯୁଧିଷ୍ଠିରଙ୍କ ଉତ୍ତର ଥିଲା ଦ୍ୱିଅର୍ଥ ବୋଧକ। ‘ନରେ ବା ଗୁଞ୍ଜରେ ଅଶ୍ୱସ୍ଥମା ହତଃ’ ଅର୍ଥାତ୍‌ ଅଶ୍ୱସ୍ଥମାର ମୃତ୍ୟୁ ସୁନିଶ୍ଚିତ, କିନ୍ତୁ ସେ ହାତୀ ହୋଇପାରେ କିମ୍ବା ମଣିଷ ହୋଇପାରେ। ଦ୍ରୋଣ ଭାବିଲେ, ଯୁଧିଷ୍ଠିର ତାଙ୍କୁ ଶାନ୍ତ୍ୱନା ଦେବା ପାଇଁ ବୋଧହୁଏ ସତ କଥାଟିକୁ ଲୁଚାଉଛନ୍ତି। କିନ୍ତୁ ଏହା ଯେ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଶ୍ରୀକୃଷ୍ଣଙ୍କ କୂଟନୀତିର ଅଂଶ ବିଶେଷ ତାହା ତାଙ୍କ ବୁଝାମଣାର ବାହାରେ ଥିଲା। ଆମ ନିତିଦିନିଆ ଜୀବନରେ ବେଳେବେଳେ ପ୍ରଶ୍ନର ଉତ୍ତର ଭିନ୍ନ ଢଙ୍ଗରେ ଦିଆଯାଇଥାଏ, ଯାହା ସତ୍ୟ ହୋଇଥିଲେ ମଧ୍ୟ ଗ୍ରହଣୀୟ ହୋଇ ନ ଥାଏ।
ଗାଈ କିଣିବାକୁ ଯାଇଥିବା ଜଣେ ଲୋକ ଗାଈର ମାଲିକକୁ ପଚାରିଲେ, ତୁମ ଗାଈ କେତେ କ୍ଷୀର ଦେଉଛି? ଲୋକ ଜଣକ ଉତ୍ତର ଦେଲେ, ବାଲ୍‌ଟିଏ। ଅର୍ଥାତ୍‌ ବାଲ୍‌ଟିରେ ୧ ଲିଟରରୁ ୫୦ ଲିଟର ପର୍ଯ୍ୟନ୍ତ କ୍ଷୀର ଧରିପାରେ। ଏଠାରେ ନିର୍ଦ୍ଦିଷ୍ଟ ପରିମାଣ ଉଲ୍ଲେଖ ନ କରି ଏଭଳି ଏକ ଉତ୍ତର ଦେବା ହାସ୍ୟାସ୍ପଦ । ସେହିଭଳି ଢଙ୍ଗରେ ସରକାର ଯେତେବେଳେ ଗରିବି କମୁଛି, ମୁଣ୍ଡ ପିଛା ଆୟ ଏବଂ ମୋଟ ଘରୋଇ ଉପତ୍ାଦ ବଢ଼ୁଛି ବୋଲି ଯୁକ୍ତି ବାଢ଼ି ଥାଆନ୍ତି ସେହି ସମୟରେ ଅଧିକ ରାଶନ କାର୍ଡ଼ ଦେବା ବା ଗରିବଙ୍କୁ ଅଧିକ ଆର୍ଥିକ ସହାୟତା ଦେବା ଭିନ୍ନ ଏକ ପ୍ରସଙ୍ଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି? ତେଣୁ ଗୋଟିଏ ପ୍ରଶ୍ନର ଉତ୍ତର ସ୍ଥାନ, କାଳ ଓ ପାତ୍ର ଭେଦରେ ଅଲଗା ହୋଇଥାଏ ଯାହା ବିଜ୍ଞାନ, ନ୍ୟାୟ ଏବଂ ଆଇନର ପରିପନ୍ଥୀ।

ଡ. ସୀତାକାନ୍ତ ତ୍ରିପାଠୀ
ଅର୍ଣ୍ଣପାଳ,ଭଦ୍ରକ
ମୋ: ୯୭୭୮୭୬୪୩୯୪