ବନ୍ତଳା୧୭।୪ (ଶୁସିତ କୁମାର ସାହୁ): ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ୬୦ ବର୍ଷୀୟ ବୃଦ୍ଧ ସୋମନାଥ ବେହେରା।
ସୂଚନାନୁଯାୟୀ, ଗୁରୁବାର ଭୋର ସମୟରେ କଞ୍ଜା ଗ୍ରାମର ସୋମନାଥ ଆମ୍ବ ସଂଗ୍ରହ କରିବା ପାଇଁ ଘର ନିକଟରେ ଥିବା ଆମ୍ବ ତୋଟାକୁ ଯାଇଥିଲେ । ସେଠାରେ ପୂର୍ବରୁ ଥିବା ଏକ ହାତୀସହ ସେ ମୁହାଁମୁହିଁ ହୋଇ ଯାଇଥିଲେ। ହାତୀ ସୋମନାଥଙ୍କୁ ଶୁଣ୍ଢରେ ଧରି ଆମ୍ବ ଗଛରେ ପିଟି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବନ୍ତଳା ପୋଲିସ ସହ ବନପାଳ ପ୍ରସନ୍ନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। କେତେକ ଦାବି ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ପୋଲିସ ଓ ବନ ବିଭାଗର ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ପଡିଥିଲା।