ସ୍ବାମପାଟଣା,୮।୩(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ସାହାର ପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକରେ ରବିବାର ବିଲମ୍ବିତ ରାତ୍ରିରେ ସଡ଼କ ଦୁର୍ଘଟଣାରେ ଜଣ କର ମୃତ୍ୟୁ ଘଟିଛି । ଖଜୁରିଡିହା ଛକରେ ଠିଆ ହୋଇ ମୋବାଇଲରେ କ୍ରିକେଟ ଖେଳ ଦେଖୁଥିବା ବେଳେ ବାଇକ ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ବାଇକ ଆରୋହୀ ଦୁଇଜଣ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖଜୁରିଡିହା ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କ ପୁଅ ଜଗନ୍ନାଥ ମହାନ୍ତ (୪୫)। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ୯ ଟାରେ ଜଗନ୍ନାଥ ଖଜୁରିଡିହା ଛକରେ ଠିଆ ହୋଇ ମୋବାଇଲରେ ଭାରତ ନିଉଜିଲ୍ୟାଣ୍ଡ ମଧ୍ୟରେ ହେଉଥିବା ଫାଇନାଲ କ୍ରିକେଟ ମ୍ୟାଚ ଦେଖୁଥିବା ବେଳେ ପାଟଣା ଥାନା ଟଭାସରୁଆ ଗ୍ରାମର ବିନୋଦ ମହାକୁଡ଼ (୩୫) ଓ ଝୁମ୍ପୁରା ଥାନା ଅନ୍ତର୍ଗତ ରାଇକଳା ଗ୍ରାମର ମନୋଜ ମହାକୁଡ଼ ଏକ ବାଇକରେ ଟଭାସରୁଆ ପାର୍ଶ୍ୱରୁ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଠିଆ ହୋଇଥିବା ଜଗନ୍ନାଥଙ୍କୁ ଧକ୍କା ଦେଇ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଜଗନ୍ନାଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଜଗନ୍ନାଥଙ୍କ ଝିଆରୀର ବାହାଘର ଚାଲିଥିବା ବେଳେ ଜଗନ୍ନାଥଙ୍କ ମୃତ୍ୟୁରେ ଖଜୁରିଡିହା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପାଟଣା ଥାନା ଏସ ଆଇ ଲକ୍ଷ୍ମଣ ମାଝି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୋମବାର ମୃତଦେହ ବ୍ୟବଚ୍ଛେଦ ହୋଇ ନାହିଁ।