ଦିଗପହଣ୍ଡି, ୨୫|୧୦(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅର୍ନ୍ତଗତ ପଦ୍ମନାଭପୁର ରାସ୍ତା ଏବଂ ଦିଗପହଣ୍ଡି – ଘୋଡାହାଡ ଡ଼୍ୟାମ ଛକ ନିକଟରେ ପୃଥକ୍ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପଦ୍ମନାଭପୁର ରାସ୍ତାର ଗୁପ୍ତେଶ୍ୱର ମନ୍ଦିର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ ନଂ. (ଓଡି୦୭ ଏଟି ୭୫୫୫) ଧକ୍କାରେ ଦିଗପହଣ୍ଡି ଚିକିଟିଆ ସାହିର କାଶୀନାଥ ଗୈାଡ(୫୮) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ। କାଶୀନାଥଙ୍କ ଭାଇ ହରିକୃଷ୍ଣଙ୍କ ଏତଲା ଭିତ୍ତିରେ ପୋଲିସ ମାମଲା ନଂ. ୩୮୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ବାଇକ ଜବତ କରିବା ସହ ତଦନ୍ତ ଚଳାଇଛନ୍ତି। ସେହିଭଳି ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ନିକଟ ଘୋଡାହାଡ ଡ଼୍ୟାମ ଛକରେ ଏକ ଟିପ୍ପର ନଂ. (ଓଡି୦୯ ସି ୯୨୬୭) ଧକ୍କାରେ ଦିଗପହଣ୍ଡି ବଡବ୍ରାହ୍ମଣ ସାହିର ନୀଳମାଧବ ସାହୁ (୪୪) ଗୁରୁତର ଆହତ ହୋଇଛନ୍ତି। ସେ କରପଡା ନିକଟ କେ.କଲୋନି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାପଡ଼ିଛି।ତାଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।