କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଲୁଥୁରବନ୍ଦ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗୁହାଳରେ କ୍ଷୀର ସଂଗ୍ରହ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଆରୀ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ହେଲେ ଲକ୍ଷେଶ୍ୱର ସାହା(୬୭)। ଗୁରୁତର ଝିଆରୀ ସୀତା ସାହା(୨୦)।
ମିଳିଥିବା ସୂଚନା ମୁତାବକ, ଲକ୍ଷେଶ୍ୱର ଗୁହାଳରେ କ୍ଷୀର ସଂଗ୍ରହ କରୁଥିଲେ। ସେତିକିବେଳେ ବିଦ୍ୟୁତ୍ ଖମ୍ବରୁ ଶର୍ଟ ସର୍କିଟ ହୋଇ ତାଙ୍କୁ କରେଣ୍ଟ ଲାଗିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ। ଏହା ଦେଖି ଝିଆରୀ ସୀତା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଲକ୍ଷେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସୀତାଙ୍କୁ ଭବାନୀପାଟଣା ସ୍ଥାନାନ୍ତରିତ କରାଯାଇଛି।
ଅନ୍ୟପକ୍ଷେ ଲକ୍ଷେଶ୍ୱରଙ୍କ ପୁତୁରା ସୁନ୍ଦରମନ ସାହା ବିଦ୍ୟୁତ୍ ବିଭାଗର ଅବହେଲା ଯୋଗୁ ଏଭଳି ଅଘଟଣ ଘଟିଛି ବୋଲି କେସିଙ୍ଗା ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଆଇଆଇସି ଜିତେନ୍ଦ୍ର ବିଶ୍ବାଳଙ୍କୁ ପଚାରିବାରୁ ଘଟଣା ସଂକ୍ରାନ୍ତରେ ଟିଟିଲାଗଡ଼ ଥାନାକୁ ଜଣାଇ ଦିଆଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା(ନଂ.22/25) ରୁଜୁ ହୋଇଥିବା ସେ କହିଛନ୍ତି। ଟିଟିଲାଗଡ଼ ପୋଲିସ ଘଟଣାର ତଦନ୍ତ କରିବ ବୋଲି ଆଇଆଇସି ବିଶ୍ବାଳ ପ୍ରକାଶ କରିଥିଲେ। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।