ପରିବାରର ଆର୍ଥିକ ପରିସ୍ଥିତି ଦୁର୍ବଳ ହେଲେ ପିଲାମାନଙ୍କ ପାଇଁ ଜୀବନ ସହଜ ହୋଇ ନ ଥାଏ। ଶିକ୍ଷାଠାରୁ ଆରମ୍ଭ କରି ଆଗ୍ରହ ଏବଂ ଆବଶ୍ୟକତା ପର୍ଯ୍ୟନ୍ତ, ସେମାନଙ୍କୁ ସବୁକିଛିରେ ସାଲିସ କରିବାକୁ ପଡ଼ିଥାଏ। ତାମିଲନାଡୁର ଇରୋଡ ଜିଲାର ବାସିନ୍ଦା ସି. ଭାନମାଥିଙ୍କ ଶୈଶବ ଏପରି ଥିଲା। ତାଙ୍କ ବାପା ଜଣେ କ୍ୟାବ ଡ୍ରାଇଭର ଥିଲେ ଏବଂ ପରିବାରର ଆୟ ଏତେ କମ ଥିଲା ଯେ, ପରିବାର ପ୍ରତିପାଳନ କରିବା କଷ୍ଟକର ଥିଲା। ଏହା ସତ୍ତ୍ୱେ ତାଙ୍କ ବାପାମା’ ତାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ଥିଲେ। ତାଙ୍କୁ ଆବଶ୍ୟକୀୟ ପୁସ୍ତକ ଏବଂ ସମ୍ବଳ ଯୋଗାଇଥିଲେ।
ସି. ଭାନମାଥି ଛୋଟ ବୟସରୁ ପରିବାରକୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ତାଙ୍କ ପାଠପଢ଼ା ସହିତ, ସେ ମଇଁଷି ଚରାଉଥିଲେ ଏବଂ ପଶୁମାନଙ୍କୁ ଖାଇବାକୁ ଦେଉଥିଲେ। ତାଙ୍କ ପରିବାରରେ, ଝିଅମାନଙ୍କୁ ସାଧାରଣତଃ ଦ୍ୱାଦଶ ଶ୍ରେଣୀ ପରେ ଅଧିକ ପାଠପଢ଼ିବାକୁ ଅନୁମତି ଦିଆଯାଉ ନ ଥିଲା। କିନ୍ତୁ ଭାନମାଥି ସବୁବେଳେ ଶିକ୍ଷା ଏବଂ ସ୍ବାବଲମ୍ବନ ପ୍ରତି ଆଗ୍ରହୀ ଥିଲେ।
ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ, ଭାନମାଥି ବିବାହ କରିବା ପାଇଁ ଚାପର ସମ୍ମୁଖୀନ ହୋଇଥିଲେ। ଯଦିଓ ତାଙ୍କ ବାପାମା’ ତାଙ୍କୁ ଆହୁରି ପାଠପଢ଼ିବାକୁ ଚାହୁଁଥିଲେ, କିନ୍ତୁ ସମ୍ପର୍କୀୟମାନଙ୍କ ଚାପ ବଢ଼ିବାରେ ଲାଗିଥିଲା। ଭାନମାଥି ସାହସ ଦେଖାଇ ବିବାହ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ତାଙ୍କ ପରିବାର ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ ଏବଂ ଏହା ତାଙ୍କ ସଫଳତାର ପ୍ରଥମ ପଦକ୍ଷେପ ବୋଲି ପ୍ରମାଣିତ ହୋଇଥିଲା। ସ୍ନାତକ ପରେ, ସେ କମ୍ପ୍ୟୁଟର ଆପ୍ଲିକେସନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଦେଶ ସେବା କରିବାର ତାଙ୍କର ସ୍ବପ୍ନ ଆହୁରି ଦୃଢ଼ ହୋଇଥିଲା।
ସି. ଭାନମାଥିଙ୍କ ଜନ୍ମସ୍ଥାନରେ ଜିଲ୍ଲା କଲେକ୍ଟର ଜଣେ ମହିଳା ଥିଲେ, ଯାହାଙ୍କୁ ବହୁତ ସମ୍ମାନ କରାଯାଉଥିଲା। ଏହା ଦେଖି, ଭାନମାଥିଙ୍କ ମନରେ ଆଇଏଏସ ଅଫିସର ହେବାର ଇଚ୍ଛା ପ୍ରଜ୍ଜ୍ୱଳିତ ହୋଇଥିଲା। ଟିଭି ଧାରାବାହିକ ଗଙ୍ଗା ଯମୁନା ସରସ୍ବତୀ ଦେଖିବା ପରେ ତାଙ୍କର ପ୍ରେରଣା ଆହୁରି ବଢ଼ି ଯାଇଥିଲା। ମୁଖ୍ୟ ଅଭିନେତ୍ରୀ ଜଣେ ଆଇଏଏସ ଅଫିସର ଭୂମିକାରେ ଅଭିନୟ କରିଥିଲେ, ଯାହା ଭାନମାଥିଙ୍କୁ ତାଙ୍କ ସ୍ବପ୍ନକୁ ସାକାର କରିବାର ଶକ୍ତି ଦେଇଥିଲା।
ତାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ମାଧ୍ୟମରେ, ସି. ଭାନମାଥି ୨୦୧୫ UPSC ସିଭିଲ ସର୍ଭିସେସ ପରୀକ୍ଷାରେ ୧୫୨ତମ ସ୍ଥାନ ହାସଲ କରିଥିଲେ। ଏହି ସଫଳତା ତାଙ୍କ ପାଇଁ କେବଳ ଏକ ସଫଳତା ନୁହେଁ, ବରଂ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। ତାଙ୍କର ସଂଘର୍ଷ ଏବଂ ଦୃଢ଼ ନିଷ୍ପତ୍ତି ପ୍ରମାଣିତ କରିଥିଲା ଯେ ଦାରିଦ୍ର୍ୟ, ସାମାଜିକ ଚାପ ଏବଂ କଷ୍ଟକର ପରିସ୍ଥିତି ସଫଳତାର ପଥକୁ ବାଧା ଦେଇପାରିବ ନାହିଁ।