ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଫଳରେ ଏକ ଆସନ୍ନ ମୃତ୍ୟୁ ମୁଖରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ତେବେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଖବରରୁ ଜଣାପଡିଛି, କୁଶପଡା ଗ୍ରାମର କମଳା ଦୋରା (୬୫) ଶୁକ୍ରବାର ସକାଳେ ନାତୁଣୀ ଶୁଭଶ୍ରୀ ଦୋରା (୯)ଙ୍କୁ ସାଙ୍ଗରେ ଧରି ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ନାତୁଣୀଙ୍କୁ ପୋଖରୀ ହିଡରେ ବସାଇ ସେ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ପୋଖରୀରେ ଗାଧୋଉଥିବା କସ୍ତୁରୀ ଗଭୀର ପାଣି ମଧ୍ୟକୁ ଚାଲିଯାଇଥିବା କମଳା ଦେଖିବାକୁ ପାଇ କମଳା ପାଟିକରି ତାଙ୍କୁ ଉଦ୍ଧାର ପାଇଁ ପୋଖରୀ ଭିତରକୁ ଲମ୍ଫ ମାରିଥିଲେ। ତେବେ ଉଭୟେ ଗଭୀର ପାଣିରେ ବୁଡିଯାଉଥିବା ବେଳେ ନିକଟରେ ଗାଧୋଉଥିବା ଗ୍ରାମର ଶିବାନୀ ଦୋରା ଦେଖି ସେ ନିଜ ଜୀବନକୁ ବାଜି ଲଗାଇ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ପୋଖରୀର ଅନ୍ୟ ତୁଠରେ ଗାଧୋଉଥିବା କେତେ ଜଣ ବ୍ୟକ୍ତି ସେଠାକୁ ଦୌଡ଼ି ଆସି ୩ ଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଅସୁସ୍ଥ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କମଳାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶିବାନୀ ଓ ଶୁଭଶ୍ରୀ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share