ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…

ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ ସଚିନ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ଉକ୍ତ ମ୍ୟାଚ୍‌ରେ ଦ୍ରୁତ ବୋଲର ଓ୍ବାକର ୟୁନିସ୍‌ ମଧ୍ୟ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ସେ ମନୋଜ ପ୍ରଭାକରଙ୍କ ଓ୍ବିକେଟ୍‌ ନେବା ପରେ ସଚିନ ପଡ଼ିଆକୁ ଆସିଥିଲେ। ଡେବ୍ୟୁ ଇନିଂସରେ ସେ ୧୫ ରନ୍‌ କରିଥିଲେ, ଯାହା ସଚିନଙ୍କୁ ଦୁଃଖି କରିଥିଲା। ଏହି ଟେଷ୍ଟରେ ଦ୍ୱିତୀୟ ଥର ପାଇଁ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ ସଚିନ। ହେଲେ ଏହି ମ୍ୟାଚ୍‌ ପରେ ସେ ନିଜର ପ୍ରତିଭା ଜାହିର କରିଥିଲେ।
ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ସଚିନ ୨୦୦ ଟେଷ୍ଟ ଏବଂ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ୫୩.୭୮ ହାରରେ ସେ ୨୦୦ ଟେଷ୍ଟରେ ୧୫,୯୨୧ ରନ୍‌ ସ୍କୋର କରିଥିଲେ। ସେହିଭଳି ୪୬୩ ଏକ ଦିବସୀୟ ମ୍ୟାଚ୍‌ରେ ୪୪.୮୩% ହାରରେ ୧୮,୪୨୬ ରନ୍‌ କରିଥିଲେ। ପ୍ରଥମରେ ସେ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିବା ବେଳେ ବ୍ୟାଟ୍ସମ୍ୟାନ ହୋଇ ଭଲ ପ୍ରଦର୍ଶନ କରିଥିଲେ। ୨୦୧୩ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାକୁ ସାତ ବର୍ଷ ବିତିଥିଲେ ହେଁ ଏବେ ବି ସଚିନଙ୍କ ପ୍ରଶଂସକ ଡେବ୍ୟୁ କାହାଣୀକୁ ମନେ ପକାଇଥାନ୍ତି।