ବଲାଙ୍ଗୀର,୫।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ପୋଖରୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲା। ପୋଖରୀ କୂଳମାନଙ୍କରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିଲା। ଅନେକ ଶ୍ରଦ୍ଧାଳୁ ସହରରେ ଥିବା ମହାରାଣୀ ସାଗର ପୋଖରୀରେ ଡଙ୍ଗା ଭାସାଇଥିଲେ । ଭୋର ୪ଟାରୁ ସହରବାସୀ ତଥା ଆଖାପାଖର ଲୋକେ ମନ୍ଦିର ଦର୍ଶନ କରିବାକୁ ଆସି ପୂଜା ଆରାଧନା କରିବା ସହ ଦୀପ ପ୍ରଜ୍ଜଳନ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଦୈନିକ ବଜାର ରାମ ଚରିତ ମାନସ ମନ୍ଦିର ସମ୍ମୁଖରେ ବାବା ଅଷ୍ଟ ଶମ୍ଭୁ ସେବା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା।
\