ବିବାହର ପ୍ରଥମ ରାତିରେ ସ୍ବାମୀଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର, ଆଉ ତା’ ପରେ…

ଇସଲାମାବାଦ,୨୮ା୫: ପାକିସ୍ତାନରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୨ ବର୍ଷୀୟା ନବ ବିବାହିତାଙ୍କୁ ବିବାହର ପ୍ରଥମ ରାତିରେ ସ୍ବାମୀଙ୍କ ଆଖି ସାମ୍ନାରେ ୪ ଜଣ ଗଣବଳାତ୍କାର କରିଛନ୍ତି। ଏହି ବଳାତ୍କାରୀମାନେ ପୋଲିସ ୟୁନିଫର୍ମରେ ଘର ଭିତରକୁ ଯାଇ ଖୋଜାଖୋଜି ବାହାନା କରି ନବ ବିବାହିତାଙ୍କ କୋଠରିରେ ପ୍ରବେଶ କରିଥିଲେ।

ବୁଧବାର ରାତିରେ ବର ମହମ୍ମଦ ଲତିଫଙ୍କ ସହିତ ମୁଲତାନ ଜିଲାର ମୋଚିପୁରା ଗ୍ରାମରେ ଥିବା ତାଙ୍କ ବାସଭବନକୁ ଆସିବା ପରେ ଏହି ଘଟଣା ଘଟିଥିଲା। ଏହି ଗାଁ ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ। ବିଳମ୍ବିତ ରାତିରେ ୪ ବଳତ୍କାରୀ ପୋଲିସ ୟୁନିଫର୍ମରେ ଘର ଭିତରକୁ ପଶି ପରିବାର ଲୋକଙ୍କୁ ବନ୍ଧକ ରଖି ନବ ବିବାହିତାଙ୍କୁ ବଳାତ୍କାର କରିଥିଲେ। ଏଥିସହିତ ଘରୁ ସମସ୍ତ ଅଳଙ୍କାର ଏବଂ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବ ବିବାହିତା ଏବଂ ତାଙ୍କ ସ୍ବାମୀଙ୍କୁ ଉଦ୍ଧାର କରିଥିଲା।

ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଶୀଘ୍ର ଗିରଫ କରିବା ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓସମାନ ବୁଜଦାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ପାକିସ୍ତାନରେ ଜଣେ ମହିଳାଙ୍କୁ ପରିବାର ସାମ୍ନାରେ କାର୍‌ରେ ଗଣବଳାତ୍କାର କରାଯାଇଥିଲା। କାର୍‌ଟି ଭାଙ୍ଗିଯିବାରୁ ପରିବାର ଲୋକ ରାସ୍ତା ପାର୍ଶ୍ୱରେ ଅଟକି ରହିଥିଲେ। ଏହି ଘଟଣାକୁ ପାକିସ୍ତାନରେ ବ୍ୟାପକ ନିନ୍ଦା କରାଯାଇଥିଲା।