Manchester: India's Mohammed Shami, second left, celebrates with teammates the dismissal of West Indies' Shai Hope during theManchester between India and West Indies at Old Trafford in Manchester, England, Thursday, June 27, 2019.AP/PTI(AP6_27_2019_000229B)
ନୂଆଦିଲ୍ଲୀ,୯।୫(ପି.ଟି.): ଏକ ମାରାଥନ ଗସ୍ତରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ୟୁନାଇଟେଡ କିଙ୍ଗ୍ଡମ (ୟୁକେ) ଯିବ। ଜୁନ୍ ୨ରେ ଦଳ ଇଂଲଣ୍ଡ ଯାତ୍ରା ଆରମ୍ଭ କରିବ। ଏହି ସାଢେ ୩ ମାସ ବିଶିଷ୍ଟ ଦୀର୍ଘ ଗସ୍ତରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ସମେତ ମୋଟ ଉପରେ ୬ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଇଂଲଣ୍ଡ ଯାତ୍ରା କରିବା ପୂର୍ବରୁ ଭାରତୀୟ ଦଳର ସଦସ୍ୟମାନେ ୮ ଦିନିଆ ହାର୍ଡ କ୍ୱାରାଣ୍ଟାଇନ୍ ପିରିୟଡ୍ରେ ରହିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି।
ୟୁକେରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ୧୦ ଦିନିଆ ସଫ୍ଟ କ୍ୱାରାଣ୍ଟାଇନରେ ରହିବେ। ଏହି ଅବସରରେ ଟ୍ରେନିଂ କରିବାକୁ ଅନୁମତି ଦିଆଯିବ। ବିସିସିଆଇ ଏହି କ୍ୱାରାଣ୍ଟାଇନ୍ର ଅବଧି ନେଇ ଆଲୋଚନା ଜାରି ରଖିଛି। ଇଂଲଣ୍ଡ ଗସ୍ତ ଆରମ୍ଭ କରିବା ପୂର୍ବରୁ ଦଳର ସଦସ୍ୟମାନେ ହୋଟେଲ ରୁମ୍ରେ ୮ ଦିନିଆ ହାର୍ଡ କ୍ୱାରାଣ୍ଟାଇନ୍ରେ ରହିବେ। ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିବସରେ ହେବାକୁ ଥିବା ଆରଟି- ପିସିଆର ଟେଷ୍ଟରେ ଖେଳାଳିମାନଙ୍କର ରିପୋର୍ଟ ନେଗେଟିଭ ଆସିବା ନିହାତି ଜରୁରୀ। ଏହାପରେ ଯାଇ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯାଇପାରିବେ ବୋଲି ଶନିବାର ବିସିସିଆଇ ତରଫରୁ କୁହାଯାଇଛି।
ଗୋଟିଏ ବବଲରୁ ଖେଳାଳିମାନେ ଆଉ ଗୋଟିଏ ବବଲକୁ ଯିବେ। ତେଣୁ ଇଂଲଣ୍ଡରେ ୧୦ ଦିନିଆ କ୍ୱାରାଣ୍ଟାଇନକୁ କମାଇବାର ଆବଶ୍ୟକତା ରହିଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି। ଏହି ଅବସରରେ ଖେଳାଳିମାନେ ଟ୍ରେନିଂ କରିପାରିବେ। ସାଉଥାମ୍ପଟନର ହୋଟେଲ ହିଲଟନରେ ଖେଳାଳିମାନେ ରହିବେ। ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ ଜୁନ୍ ୧୮ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ୧୦ ଦିନିଆ କ୍ୱାରାଣ୍ଟାଇନ ଧାର୍ଯ୍ୟ କରାଯାଏ ତାହାହେଲେ ଭାରତୀୟ ଖେଳାଳିମାନେ ଜୁନ୍ ୧୩ ତାରିଖରୁ ସହରରେ ବୁଲି ପାରିବେ। ଗସ୍ତ ବହୁତ ଲମ୍ବା ହୋଇଥିବାରୁ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଗସ୍ତ ଆରମ୍ଭରୁ ଖେଳାଳିଙ୍କ ସହ ଓ୍ବାଗ ଓ ପିଲାମାନେ ଯିବେ କି ନାହିଁ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ। କାରଣ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଜୁନ୍ ୨୨ ରେ ଶେଷ ହେବ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେବ। ଦୁଇଟି ଇଭେଣ୍ଟ ମଧ୍ୟରେ ମାସେ ଅଧିକ ସମୟ ତଫାତ ରହୁଥିବାରୁ ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ।
ଗସ୍ତ ପୂର୍ବରୁ ଖେଳାଳି ପ୍ରଥମ ଡୋଜ୍ ଟିକା ନେବେ
ୟୁକେ ଗସ୍ତ ପୂର୍ବରୁ ଭାରତୀୟ ଖେଳାଳିମାନେ ଟିକାର ପ୍ରଥମ ଡୋଜ ନେବେ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ତେବେ ବରୁଣ ଚକ୍ରବର୍ତ୍ତୀଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଥିବା ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଟିକା ନେବା ସମ୍ଭବ ହେବ ନାହିଁ। ନେଗେଟିଭ ରିପୋର୍ଟ ଆସିବାର ନିର୍ଦ୍ଧାରିତ ସମୟ ପରେ ଟିକା ନେବାର ନିୟମ ରହିଛି। ଯଦି କ୍ରିଷ୍ଣା ମେ’ ୧୮ କିମ୍ବା ୨୦ ବେଳକୁ ନେଗେଟିଭ ହୋଇଥିବେ ତେବେ ଏହାର ୪ ସପ୍ତାହ ପରେ ସେ ପ୍ରଥମ ଡୋଜର ଟିକା ନେଇପାରିବେ। ଯଦି ସବୁ ଭାରତୀୟ ଖେଳାଳି ଦେଶରେ କୋଭିଶିଲ୍ଡର ପ୍ରଥମ ଡୋଜ୍ ନେବେ ତା’ହେଲେ ୟୁକେରେ ଦ୍ୱିତୀୟ ଡୋଜ ନେବା ସହଜ ହେବ। କାରଣ କୋଭିଶିଲ୍ଡ ହେଉଛି ଅକ୍ସଫୋର୍ଡର ଭ୍ୟାକ୍ସିନ।
ଡବ୍ଲ୍ୟୁଟିସି ଫାଇନାଲ ଦେଖିବେ ଗାଙ୍ଗୁଲି, ଜୟ ଶାହା
ସାଉଥାମ୍ପଟନରେ ଆୟୋଜନ ହେବାକୁ ଥିବା ଡବ୍ଲ୍ୟଟିସି ଫାଇନାଲ ଦେଖିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ୟୁକେ ଯିବେ। ଫାଇନାଲ ମ୍ୟାଚ୍ ଅବସରରେ ଏହି ଦୁଇ କ୍ରିକେଟ ପ୍ରଶାସକ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଏଥିସହିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବାକି ୩୧ଟି ମ୍ୟାଚ୍ ୟୁକେରେ ଆୟୋଜନ ପାଇଁ ଗାଙ୍ଗୁଲି ଓ ଶାହା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପଦାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି।