ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି ହତ୍ୟା ଉଦ୍ୟମ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା କନଷ୍ଟେବଳ ହେଲେ ମନୋରଞ୍ଜନ ସାବତ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସାଲୁଙ୍କି ସାହିର ସନ୍ତୋଷ ସ୍ବାଇଁ (୨୮) ଏବଂ ଅଞ୍ଜନ ପ୍ରଧାନ (୨୫)।
ସୂଚନା ଯୋଗ୍ୟ, କନଷ୍ଟେବଳ ମନୋରଞ୍ଜନ ସାଇ ମନ୍ଦିର ନିକଟରେ ଡିୟୁଟି କରୁଥିବା ବେଳେ ସନ୍ତୋଷ ଏବଂ ଅଞ୍ଜନଙ୍କ ସହ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଉଭୟେ ମନୋରଞ୍ଜନଙ୍କୁ ଅତର୍କିତ ଆକ୍ରମଣ କରି ଛୁରିରେ ଭୁସିବା ସହ ଠେଙ୍ଗା ଗୋଇଠାରେ ମାରି ଅତି ନୃଶଂସ ଭାବେ ତାଙ୍କୁ ପିଟିଥିଲେ। ବର୍ତ୍ତମାନ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏପରିକି ଘଟଣାସ୍ଥଳରେ ଉପସ୍ଥିତ ଥିବା କେତେଜଣ ଖବରଦାତା ଏହା ଦେଖି ଦୁଇ ଆକ୍ରମଣକାରୀଙ୍କୁ କାବୁ କରି ମନୋରଞ୍ଜନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷ ଓ ଅଞ୍ଜନଙ୍କୁ ଗିରଫ କରିଥିଲା।
ଏ ନେଇ ଟାଉନ ଥାନାରେ ଏକ ମାମଲା(ନଂ.୬୨/୨୬) ରୁଜୁ ହୋଇଛି। ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏସ୍ଆଇ ସରୋଜ ସାହୁ ଘଟଣାର ତଦନ୍ତ ଜାରି ଥିବା କହିଛନ୍ତି। ଦିନ ଦ୍ୱିିପ୍ରହରେ ଜଣେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ସୁରକ୍ଷିତ ନ ଥିବା ବେଳେ ସାଧାରଣ ଜନତାଙ୍କ ସୁରକ୍ଷା ନେଇ ଏବେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।