ପୁରୁଷୋତ୍ତମପୁର,୨୫।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସମସ୍ୟା ଓ ଦୁର୍ନୀତି ବିରୋଧରେ ଜଣାଇବାରୁ ମରଣାତ୍ମକ ଆକ୍ରମଣ ଶିକାର ହେବାକୁ ପଡିଛି। ମରଣାତ୍ମକ ଶିକାର ବ୍ୟକ୍ତି ହେଲେ କବି ବେହେରା (୫୪)। ଏହି ଅଭିଯୋଗରେ ପୋଲିସ ମଙ୍ଗଳବାର ଚିଙ୍ଗୁଡିଘାଇ ପଞ୍ଚାୟତର ସରପଞ୍ଚ ବିଷ୍ଣୁପ୍ରିୟା ବେହେରାଙ୍କ ସ୍ବାମୀ ବଲ୍ଲଭ ବେହେରା ଓ ତାଙ୍କ ସହଯୋଗୀ ଶାନ୍ତନୁ କୁମାର ପଣ୍ଡାଙ୍କୁ ଗିରଫ କରିଛି। କେସନଂ ୯୦୧/୨୫ ବୋଲି ତଦନ୍ତକାରୀ ପୋଲିସ ଅଫିସର ଏସ୍ଆଇ ଆଦିତ୍ୟ ନାରାୟଣ ପାତ୍ର କହିଛନ୍ତି। ଏ ନେଇ କବି ପୋଲିସରେ ଅଭିଯୋଗ କରିଛନ୍ତିଯେ, ସୋମବାର ପ୍ରଶାସନ ପକ୍ଷରୁ ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ହେଉ ନ ଥିବା କିଛି କାର୍ଯ୍ୟରେ ଘୋଟାଲା ହୋଇଥିବା ନେଇ ସେ ଉପସ୍ଥିତ ଅଧିକାରୀମାନଙ୍କୁ ଅଭିଯୋଗ ଜଣାଇଥିଲେ। ଏହାକୁ ନେଇ ସନ୍ଧ୍ୟାରେ ସରପଞ୍ଚଙ୍କ ସ୍ବାମୀ ବଲ୍ଲଭ ବେହେରା ଓ ତାଙ୍କ ସହଯୋଗୀ ଶାନ୍ତନୁକୁମାର ପଣ୍ଡା ଉତ୍ତ୍ୟକ୍ତହୋଇ କବି ରାସ୍ତାରେ ଯାଉଥିବାବେଳେ ଅଟକାଇ ଗାଳିଗୁଲଜ କରିବା ସହ ଧମକଦେଇ ମରଣାତ୍ମକ ଆକ୍ରମଣ କରିଥିଲେ। ଅଚେତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ଅଭିଯୋଗର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।