ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନକ୍‌ଭୀ ଅଜମେର ଦରଘାରେ ଚାଦର ଚଢ଼ାଇଲେ…

ଅଜମେର, ୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍‌ଭୀ ଆଜମେରର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ୍‌ ଚିସ୍ତିଙ୍କ ଦରଘାରେ ଚାଦର ଚଢ଼ାଇଛନ୍ତି। ଏହି ଅବସରରେ ନକ୍‌ଭୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ସୁଫି ସନ୍ଥଙ୍କ ଚିନ୍ତାଧାରା, ସେମାନଙ୍କ ରୀତିନୀତି ଏବଂ ସମାଜର ଅନ୍ତର୍ଭୂକ୍ତ ସଶକ୍ତିକରଣର ସଂକଳ୍ପ ଭାରତକୁ ବିଶ୍ୱ ଗୁରୁ ଭାବେ ଉଭା କରିବାରେ ସହାୟତା ଯୋଗାଇ ଦେଇଛି।

ନକ୍‌ଭୀ କହିଛନ୍ତି ଯେ ଅଷ୍ଟମ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଏଠାରେ ଚାଦର ଚଢ଼ାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଚାଦରକୁ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପୂର୍ଣ୍ଣ ସମ୍ମାନର ସହିତ ସ୍ବାଗତ କରାଯାଇଥିଲା ଏବଂ ଖ୍ବାଜା ଗରିବ ନୱାଜଙ୍କୁ ଲାଗି କରାଯାଇଥିଲା। ଏକ ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କ ୮୧୦ ତମ ଉର୍ସ ଉତ୍ସବ ଅବସରରେ ସାରା ବିଶ୍ୱରେ ତାଙ୍କ ଅନୁଗାମୀମାନଙ୍କୁ ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭେଚ୍ଛା।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଗରିବ ନୱାଜଙ୍କ ଆଦର୍ଶ ଏବଂ ଚିନ୍ତାଧାରା ଦ୍ୱାରା ସମଗ୍ର ବିଶ୍ୱ ମାନବ ଚେତନା ଅନୁପ୍ରାଣିତ ହେଉଛି। ଏହି ଉର୍ସ ଉତ୍ସବ ସୌହାର୍ଦ୍ଦ୍ୟ ଏବଂ ଭ୍ରାତୃତ୍ୱର ଉଦାହରଣର ସୃଷ୍ଟି କରି ସର୍ବଦା ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ସୁଦୃଢ଼ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱାସ ସହିତ ଖ୍ବାଜା ମୋଇନୁଦ୍ଦିନ ଚିସ୍ତିଙ୍କର ବାର୍ଷିକ ଉର୍ସ ଅବସରରେ ମୁଁ ଦରଘା ଅଜମେର ଶରିଫ ପକ୍ଷରୁ ଦେଶବାସୀଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।