ମୋଦିଙ୍କୁ ପ୍ରଶଂସା କରୁଛନ୍ତି ଓମାର ଅବଦୁଲ୍ଲାଙ୍କ ଦଳ, ଦ୍ୱନ୍ଦ୍ୱରେ ବିରୋଧୀ ନେତା

ଜମ୍ମୁ,୧୨।୩: ପିପୁଲ୍ସ କନଫରେନ୍ସ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ସଜ୍ଜାଦ ଗନି ଲୋନ କହିଛନ୍ତି ଯେ ବିଧାନସଭାରେ ସରକାର ଏବଂ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ମଙ୍ଗଳବାର ବିଧାନସଭାରେ ବଜେଟ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସଜ୍ଜାଦ ଗନି ଲୋନ ଗୃହରେ ଶାସକ ଦଳ ଏବଂ ମୁଖ୍ୟ ବିରୋଧୀ ଦଳ ଭାଜପାର ବିଧାୟକମାନଙ୍କ ଆଡ଼କୁ ଇଙ୍ଗିତ କରି କହିଥିଲେ ଯେ ସେମାନେ ମଧ୍ୟ ମୋଦିଙ୍କ ପ୍ରଶଂସା କରୁଛନ୍ତି। ଏବେ ଲୋକମାନେ ଜାଣିନାହାଁନ୍ତି ଯେ ଭଲ ପ୍ରଶଂସା କ’ଣ ଏବଂ ଖରାପ ପ୍ରଶଂସା କ’ଣ। ଏହାକୁ ଦେଖି ଆମେ ଏକ ବଡ଼ ଦ୍ୱନ୍ଦ୍ୱରେ ଅଛୁ।
ସଜ୍ଜାଦ ଗନି ଲୋନ ଗୃହରେ ଓମାର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ତାଙ୍କ ବଜେଟରେ ମୋଦି ସରକାରଙ୍କ ପ୍ରଶଂସା ବ୍ୟତୀତ ଆଉ କିଛି ନାହିଁ। ଓମାର ସରକାର ଅଗଷ୍ଟ ୫ପରେ ତାଙ୍କ ବଜେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ଆଗକୁ ବଢାଇଛନ୍ତି। ସବୁକିଛି ମୋଦି ସରକାରଙ୍କର। ସରକାର ଗତ ପାଞ୍ଚ ବର୍ଷରେ ମୋଦି ସରକାରଙ୍କ ସମସ୍ତ ଉପଲବ୍ଧିକୁ ତାଙ୍କ ବଜେଟରେ ସାମିଲ କରିଛନ୍ତି।
ବିଧାନସଭାରେ ଶାସକ ନ୍ୟାସନାଲ କନଫରେନ୍ସର ନିର୍ବାଚନୀ ଇସ୍ତାହାରକୁ ହଲାଇ ସେ କହିଛନ୍ତି ଯେ ମାଗଣା ବିଦ୍ୟୁତ, ମାଗଣା ସିଲିଣ୍ଡର, ମାଗଣା ରାସନ, ଦୈନିକ ମଜୁରିଆଙ୍କୁ ନିୟମିତ କରିବା, ଏକ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାରଙ୍କୁ ପ୍ରତିବର୍ଷ ପ୍ରାୟ ବାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ସଜ୍ଜାଦ କହିଥିଲେ ଯେ ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆପଣ ପ୍ରାୟ ୬୫ ହଜାର କୋଟି ଟଙ୍କା କେଉଁଠାରୁ ପାଇବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା କୌଣସି ବଡ଼ ପ୍ୟାକେଜରେ ଅଣାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।