Tokyo: Players celebrate after India's Harmanpreet Singh, second from right, scored against Japan during a men's field hockey match at the 2020 Summer Olympics, Friday, July 30, 2021, in Tokyo, Japan. AP/PTI(AP07_30_2021_000199B)
ଟୋକିଓ,୩୧।୭: ଅଲିମ୍ପିକ୍ସ ପୁରୁଷ ହକି ଇଭେଣ୍ଟରେ ଭାରତ ପୁଲ୍-ଏ’ରେ ତା’ର ଅନ୍ତିମ ମ୍ୟାଚ୍ରେ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପହଞ୍ଚି ସାରିଥିବା ଭାରତ ଏହି ମ୍ୟାଚ୍ରେ ମଧ୍ୟ ପ୍ରଭାବବିସ୍ତାର କରି ଖେଳିବା ସହ ଆୟୋଜକ ଜାପାନକୁ ଚକ୍ମା ଦେଇଛି। ଏଥିସହ ପୁଲ୍- ଏ’ରେ ଭାରତ ୫ଟି ମ୍ୟାଚ ଖେଳି ୪ ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ୫ଟି ମ୍ୟାଚ୍ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ୫ ମ୍ୟାଚ୍ ଖେଳି ୭ ପଏଣ୍ଟ ହାସଲ କରି ତୃତୀୟ, ସ୍ପେନ୍ ୫ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟରକୁ ଉଠିଛନ୍ତି। ତେବେ ନ୍ୟୁଜିଲାଣ୍ଡ ୪ ଓ ଜାପାନ ୧ ପଏଣ୍ଟ ପାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହି ବିଦାୟ ନେଇଛନ୍ତି। ଭାରତ ତା’ର ଏକମାତ୍ର ପରାଜୟ ଅଷ୍ଟ୍ରେଲିଆଠାରୁ ବରଣ କରିଥିଲା। ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ପ୍ରତ୍ୟେକ ପୁଲ୍ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲକୁ ଉଠିବାର ନିୟମ ରହିଛି। ଭାରତ ଏଥିସହ ୪୯ ବର୍ଷର ପୁରୁଣା ରେକର୍ଡର ସମକକ୍ଷ ହୋଇଛି। ପୂର୍ବରୁ ୧୯୭୨ ଅଲିମ୍ପିକ୍ସରେ ଭାରତ ପୁଲ୍ ପର୍ଯ୍ୟାୟରେ ୪ଟି ମ୍ୟାଚ ଜିତିଥିଲା। ଏହି ଅଲିମ୍ପିକ୍ସରେ ଭାରତ ୭ରୁ ୫ଟି ମ୍ୟାଚ୍ରେ ବିଜୟୀ ହୋଇଥିଲା। ପାଖାପାଖି ୫ ଦଶନ୍ଧି ପରେ ଭାରତ ଏହି ସଫଳତାକୁ ଦୋହରାଇବାରେ ସଫଳ ହୋଇଛି।
ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ତରଫରୁ ଗୁରଜନ୍ତ ସିଂ ୧୭ ଓ ୫୬ତମ ମିନିଟ୍ରେ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ହରମନପ୍ରୀତ ୧୩ତମ, ଶମସେର ସିଂ ୩୪ ଓ ନୀଳକାନ୍ତ ଶର୍ମା ୫୧ତମ ମିନିଟ୍ରେ ଗୋଲ ସ୍କୋର କରିଥିଲେ। ଏଥିସହ ପୂର୍ବରୁ ୮ଥର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତ କ୍ରମାଗତ ୩ଟି ମ୍ୟାଚ୍ ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ଅପରପକ୍ଷରେ ଜାପାନ ତରଫରୁ କେଣ୍ଟା ତନାକା ୧୯, କୋଟା ଓ୍ବାଟାନେବ ୩୩ ଓ କାଜୁମା ମୁରାଟା ୫୯ତମ ମିନିଟ୍ରେ ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ଜାପାନ କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡିସାରିଥିଲା।
ବିଜୟଧାରା ବଜାୟ ରଖିବାକୁ ଭାରତ ପ୍ରୟାସ କରିଥିଲା। ଫଳସ୍ବରୂପ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଓ ଜାପାନ ଡିଫେନ୍ସକୁ ଭେଦ କରିଥିଲା। ଏହା ସତ୍ତ୍ୱେ ବାରମ୍ବାର ସୁଯୋଗ ପାଇଥିଲେ ମଧ୍ୟ ଭାରତ ପ୍ରଥମ ୧୦ ମିନିଟ୍ରେ ଗୋଲ ଦେଇପାରି ନ ଥିଲା। ଜାପାନ ପ୍ରଥମେ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ହରମନପ୍ରୀତ ଭାରତକୁ ଅଗ୍ରଣୀ କରାଇଥିଲେ। ଭାରତୀୟ ଡିଫେନ୍ସରେ ମଧ୍ୟ କେତୋଟି ତ୍ରୁଟି ଦେଖିବାକୁ ମିଳିଥିଲା। ତେବେ ଶେଷରେ ଏହି ବିଜୟ ଭାରତ ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି।