Tokyo: Britain's Hannah Martin (7) passes the ball against India's Sushila Chanu Pukhrambam (27) during a women's field hockey match at the 2020 Summer Olympics, Wednesday, July 28, 2021, in Tokyo, Japan.AP/PTI Photo(AP07_28_2021_000004B)
ଟୋକିଓ,୨୯।୭(ପି.ଟି.): ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବୁଧବାର ସକାଳେ ଖେଳାଯାଇଥିବା ପୁଲ୍ -ଏ ମ୍ୟାଚ୍ରେ ଭାରତ ୧-୪ ଗୋଲରେ ଗ୍ରେଟ୍ ବ୍ରିଟେନଠାରୁ ପରାସ୍ତ ହୋଇଛି। ଏଥିସହ ଭାରତ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। ଫଳରେ ଭାରତର କ୍ୱାର୍ଟର ଫାଇନାଲ ଆଶା ମଉଳିଯାଇଛି।
ପ୍ରଥମ ଦୁଇଟି ମ୍ୟାଚ୍ରେ ଭାରତ ମିଳିଥିବା ସୁଯୋଗର ସଦ୍ବ୍ୟବହାର କରିପାରି ନ ଥିଲା। ବ୍ରିଟେନ ବିପକ୍ଷରେ ଭାରତ ଏହି ତ୍ରୁଟିକୁ ପୁଣି ଦୋହରାଇଥିଲା। ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଖେଳାଯାଇଥିତ୍ବା ଏହି ମ୍ୟାଚ୍ରେ ବ୍ରିଟେନ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବ୍ରିଟେନ ଏଥିସହ ପୁଲ୍ -ଏ’ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ବ୍ରିଟେନ ତରଫରୁ ହାନା ମାର୍ଟିନ ଡବଲ୍ ଗୋଲ ସ୍କୋର କରିଥିଲେ। ସେ ଦ୍ୱିତୀୟ ଓ ୧୯ତମ ମିନିଟ୍ରେ ଗୋଲ ଦେଇଥିଲେ। ସେହିପରି ଲିଲି ଓସଲି ୪୧ ଓ ଗ୍ରେସ୍ ବାଲସ୍ଡନ ୫୭ତମ ମିନିଟ୍ରେ ଗୋଲ ଦେଇଥିଲେ। ଅପରପକ୍ଷରେ ଭାରତ ତରଫରୁ ଶର୍ମିଳା ଦେବୀ ୨୩ତମ ମିନିଟ୍ରେ ଏକମାତ୍ର ଗୋଲ ଦେଇଥିଲେ। ଏବେ ଭାରତକୁ ବାକି ଦୁଇଟି ମ୍ୟାଚ୍ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏହି ମ୍ୟାଚ୍ରେ ଅତିକମ୍ରେ ଭାରତ ଗୋଟିଏ ପଏଣ୍ଟ ହାସଲ କରିବାର ଥିଲା।
ଏହାପୂର୍ବରୁ ଭାରତ ବିଶ୍ୱର ୧ ନମ୍ବର ଦଳ ନେଦରଲାଣ୍ଡ୍ସଠାରୁ ୧-୫ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଜର୍ମାନୀଠାରୁ ୦-୨ ଗୋଲରେ ହାରିଥିଲା। ରାନୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତ ଏବେ ଶୁକ୍ରବାର ଆୟର୍ଲାଣ୍ଡକୁ ଭେଟିବ। ବଡ଼ ବ୍ୟବଧାନରେ ମ୍ୟାଚ୍ର ଫଇସଲା ହୋଇଥିଲେ ମଧ୍ୟ ଭାରତ ଓ ବ୍ରିଟେନର ୫ ନମ୍ବର ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ବ୍ରିଟେନ ସୁଯୋଗର ସଦ୍ବ୍ୟବହାର କରିଥିଲା। କିନ୍ତୁ ଭାରତ ଏଥିରେ ପଛରେ ପଡିଥିଲା। ୮ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଭାରତ ମାତ୍ର ଗୋଟିଏକୁ ଗୋଲରେ ପରିଣତ କରିଥିଲା। ସେହିପରି ୬ଟି ପେନାଲ୍ଟି କର୍ନରରୁ ବ୍ରିଟେନ ଗୋଟିଏକୁ ଗୋଲରେ ପରିଣତ କରିଥିଲା। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବ୍ରିଟେନ ଭାରତୀୟ ଡିଫେନ୍ସ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲା।
୩ ପରାଜୟ ସହ କୌଣସି ପଏଣ୍ଟ ହାସଲ ନ କରି ଭାରତ ଏବେ ପୁଲ୍-ଏ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ନେଦରଲାଣ୍ଡ୍ସ ୩ଟି ମ୍ୟାଚ୍ ଖେଳି ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଜର୍ମାନୀ ୩ଟି ମ୍ୟାଚ୍ ଖେଳି ୯ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନ ଦୃଷ୍ଟିକୋଣରୁ ଦ୍ୱିତୀୟ, ବ୍ରିଟେନ ୩ଟି ମ୍ୟାଚ୍ ଖେଳି ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ ହାସଲ କରି ତୃତୀୟ, ଆୟର୍ଲାଣ୍ଡ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା କୌଣସି ପଏଣ୍ଟ ନ ପାଇ ଅନ୍ତିମ ତଥା ଷଷ୍ଠ ସ୍ଥାନରେ ରହିଛି।