Tokyo: Indian player Varun Kumar celebrates with teammates after scoring a goal during their hockey match against Argentina at the 2020 Summer Olympics, Thursday, July 29, 2021, in Tokyo, Japan. (PTI Photo)(PTI07_29_2021_000065B)
ଟୋକିଓ, ୩୦।୭: ଟୋକିଓ ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ପୁଲ୍- ଏ ମ୍ୟାଚ୍ରେ ଭାରତ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରି ଏହି ସଫଳତା ପାଇଛି। ଭାରତ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଅନ୍ତିମ ୨ ମିନିଟ୍ରେ ଭାରତ ଦୁଇଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଚକ୍ମା ଦେଇଛି। ଏପର୍ଯ୍ୟନ୍ତ ଭାରତ ୪ଟି ମ୍ୟାଚ୍ ଖେଳି ତୃତୀୟ ବିଜୟ ହାସଲ କରି ପୁଲ୍ ଏ’ରେ ତା’ର ଦ୍ୱିତୀୟ ସ୍ଥାନ ପକ୍କା କରିଛି। ଭାରତ କେବଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ପୁଲ୍-ଏ’ରେ ୬ଟି ଦଳ ସାମିଲ ଥିବାବେଳେ ଆର୍ଜେଣ୍ଟିନା ପଞ୍ଚମ ସ୍ଥାନରେ ରହି ସଂଘର୍ଷ କରୁଛି। କ୍ୱାର୍ଟର ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଏବେ ଅନ୍ତିମ ପୁଲ୍ ମ୍ୟାଚ୍ରେ ଆର୍ଜେଣ୍ଟିନା ନ୍ୟୁଜିଲାଣ୍ଡକୁ ହରାଇବା ଅପରିହାର୍ଯ୍ୟ ହୋଇପଡିଛି। ପୁଲ୍-ଏ ଓ ବି’ର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଭାରତ ଏବେ ତା’ର ଫାଇନାଲ ପୁଲ୍ ମ୍ୟାଚ୍ରେ ଶୁକ୍ରବାର ଆୟୋଜକ ଜାପାନକୁ ଭେଟିବ।
ଦୀର୍ଘ ୩୭ ବର୍ଷ ପରେ ଭାରତ ଅଲିମ୍ପିକ୍ ହକିରେ ଭାରତୀୟ ପୁରୁଷ ଦଳ ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ଶେଷଥର ପାଇଁ ଭାରତ ୧୯୮୪ରେ ପୁଲ୍ ପର୍ଯ୍ୟାୟରେ ୩ଟି ମ୍ୟାଚ ଜିତିଥିଲା। ଯଦି ଅନ୍ତିମ ପୁଲ୍ ମ୍ୟାଚ୍ରେ ଭାରତ ଜାପାନକୁ ହରାଏ ତେବେ ୧୯୭୨ ପରେ ଭାରତ ଗ୍ରୁପ୍ ପର୍ଯ୍ୟାୟର ୪ଟି ମ୍ୟାଚ୍ ଜିତିବ। ୧୯୭୨ ଅଲିମ୍ପିକ୍ସରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୭ରୁ ୫ଟି ମ୍ୟାଚ୍ ଜିତିଥିଲା। ୧୯୮୪ ପରଠାରୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୨ରୁ ଅଧିକ ମ୍ୟାଚ୍ ଜିତିପାରି ନ ଥିଲା। ୧୯୮୦ ପରେ ଭାରତକୁ କୌଣସି ପଦକ ମିଳିପାରି ନାହିଁ। ଏପରିକି ଭାରତ ୨୦୦୮ରେ ଅଲମ୍ପିକ୍ସ କ୍ୱାଲିଫାଏ କରିପାରି ନ ଥିଲା।
ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଆର୍ଜେଣ୍ଟିନାକୁ କୌଣସି ସୁଯୋଗ ଦେଇ ନ ଥିଲା। ପ୍ରଥମ ଦୁଇଟି କ୍ୱାର୍ଟରରେ କୌଣସି ଗୋଲ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ୪୩ତମ ମିନିଟରେ ବରୁଣ କୁମାର ପ୍ରଥମ ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଏହାର ଠିକ୍ ୫ ମିନିଟ୍ ପରେ ଆର୍ଜେଣ୍ଟିନାର ସୁଥ କାସେଲା ୪୮ତମ ମିନିଟ୍ରେ ଦଳ ତରଫରୁ ଏକମାତ୍ର ଗୋଲ ସ୍କୋର କରି ମ୍ୟାଚ୍କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ବିବେକ ସାଗର ପ୍ରସାଦ ଓ ହରମନପ୍ରୀତ ସିଂ ଯଥାକ୍ରମେ ୫୮ ଓ ୫୯ତମ ମିନିଟ୍ରେ ଗୋଲ ଦେଇ ଭାରତକୁ ଶେଷ ମୁହୂର୍ତ୍ତରେ ବିଜୟୀ କରାଇଥିଲେ।
ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ଆର୍ଜେଣ୍ଟିନା ଡିଫେନ୍ସ ଉପରେ ଚାପ ପକାଇବାରେ ସମର୍ଥ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ଖେଳିଥିଲା। ତେବେ ଆର୍ଜେଣ୍ଟିନା ଡିଫେନ୍ସ ଭାରତର ସବୁ ଆକ୍ରମଣକୁ ପ୍ରତିହତ କରିଥିଲା। ଭାରତୀୟ ଖେଳାଳିମାନେ ଏକାଧିକ ବାର ଆର୍ଜେଣ୍ଟିନା ସର୍କଲରେ ପ୍ରବେଶ କରିଥିଲେ ମଧ୍ୟ ଫାଇନାଲ ପାସ୍ ମିସ୍ କରିଥିଲା। ତୃତୀୟ ମିନିଟ୍ରେ ଭାରତ ଗୋଲ କରିବାର ସୁଯୋଗ ପାଇଥିଲା। ସିମରନଜିତ ସିଂଙ୍କ ପାସକୁ ଦିଲପ୍ରୀତ ସିଂ ହିଟ୍ କରିଥିଲେ। ତେବେ ଆର୍ଜେଣ୍ଟିନା ଗୋଲକିପର ଜୁଆନ ଭିଭାଲଡି ଏହାକୁ ସେଭ କରିବାରେ ସଫଳ ହୋଇଥିଲେ। ଭାରତ ୧୬ଥର ଓ ଆର୍ଜେଣ୍ଟିନା ୨ଥର ପ୍ରତିପକ୍ଷ ସର୍କଲରେ ପ୍ରବେଶ କରିଥିଲା। ପ୍ରଥମ ହାଫ୍ରେ କୌଣସି ଦଳ ପେନାଲ୍ଟି ସୁଯୋଗ ପାଇ ନ ଥିଲେ ଓ ଗୋଲ ମଧ୍ୟ ହୋଇପାରି ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲା। ୩୫ତମ ମିନିଟ୍ରେ ଗୁରଜନ୍ତ ସିଂ ନିକଟରୁ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ସେହିପରି ରୂପିନ୍ଦର ପାଲ ସିଂ କ୍ରମାଗତ ଦୁଇଟି କର୍ନର ମିସ୍ କରିଥିଲେ। ଶେଷରେ ବରୁଣ ପ୍ରଥମ ଗୋଲ ଦେଇ ଭାରତୀୟ ଶିବିରରେ ଉତ୍ସାହ ଆଣି ଦେଇଥିଲେ। ସେ ତୃତୀୟ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ। ସେହିପରି ଆର୍ଜେଣ୍ଟିନା ୪୮ତମ ମିନିଟ୍ରେ ତା’ର ପ୍ରଥମ ପେନାଲ୍ଟି କର୍ନର ପାଇଥିଲା ଓ କାସେଲା ଏହାକୁ ଗୋଲରେ ପରିଣତ କରିଥିଲେ। ଏହାପରେ ଆର୍ଜେଣ୍ଟିନା ଦୁଇଟି ସୁଯୋଗ ପାଇଥିଲେ ମଧ୍ୟ ଫାଇଦା ଉଠାଇପାରି ନ ଥିଲା। ଭାରତୀୟ ଡିଫେନ୍ସ ଓ ଗୋଲ କିପର ପି.ଆର. ଶ୍ରୀଜେସ ଚମତ୍କାର ପ୍ରଦର୍ଶନ କରିଥିଲେ।
ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ କୋଚ୍ ଗ୍ରାହମ ରିଡ୍ ପ୍ରଶଂସା କରିଛନ୍ତି। ଆର୍ଜେଣ୍ଟିନା ବିପକ୍ଷରେ ଖେଳିବା ସେତେଟା ସହଜ ନ ଥିଲା। ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏକ ବିଶ୍ୱସ୍ତରୀୟ ଦଳ ହୋଇଥିବାରୁ ଏହି ବିଜୟ ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ବିଜୟ ହାସଲ କରିଥିଲେ ମଧ୍ୟ ଭାରତ ଏକାଧିକ ସୁଯୋଗ ହାତଛଡ଼ା କରିଛି ବୋଲି ସେ ନିଜ ଖେଳାଳିମାନଙ୍କୁ ସତର୍କ କରାଇଦେଇଛନ୍ତି। ତେବେ ଖେଳାଳିମାନେ ଧୈର୍ଯ୍ୟର ସହିତ ଗେମ୍ ପ୍ଲାନ୍କୁ କାର୍ଯ୍ୟରେ ପରିଣତ କରିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଜାପାନ ବିପକ୍ଷ ଅନ୍ତିମ ପୁଲ୍ ମ୍ୟାଚ୍ରେ ଭାରତ ଏହି ପ୍ରଦର୍ଶନକୁ ଦୋହରାଇବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି।