Tokyo: India's Pusarla V. Sindhu plays against Japan's Akane Yamaguchi during their women's singles badminton quarterfinal match at the 2020 Summer Olympics, Friday, July 30, 2021, in Tokyo, Japan.AP/PTI(AP07_30_2021_000171B)
ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ସେ ଶୁକ୍ରବାର ବିଶ୍ୱର ୫ ନମ୍ବର ଖେଳାଳି ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ଗେମ୍ରେ ହରାଇ ସେମିକୁ ଉଠିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ ମାତ୍ର ୫୬ ମିନିଟ୍ରେ ପରାସ୍ତ କରି ପଦକ ଆଡକୁ ଅଗ୍ରଗତି କରିଛନ୍ତି। ଫଳରେ ଅଲିମ୍ପିକ ପଦକ ହାସଲଠାରୁ ସିନ୍ଧୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ଏଥର ତାଙ୍କ ପାଖରେ ସ୍ବର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ରହିଛି। ସିନ୍ଧୁ ଏବେ ସେମିରେ ଥାଇଲାଣ୍ଡର ରଚାନୋକ ଇନ୍ଥାନନ ଓ ଚାଇନିଜ ତାଇପେର ଜୁ ୟିଙ୍ଗଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ ବିଜୟିନୀଙ୍କୁ ଭେଟିବେ। ଶନିବାର ସିନ୍ଧୁ ସେମିଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।
ଷଷ୍ଠ ସିଡ୍ ସିନ୍ଧୁ ପୂର୍ବରୁ ୟାମାଗୁଚିଙ୍କୁ ୧୧ଥର ପରାସ୍ତ କରିଥିବା ବେଳେ ତାଙ୍କଠାରୁ ୭ଥର ପରାଜୟ ବରଣ କରିଥିଲେ। ଗତ ମାର୍ଚ୍ଚରେ ସେ ୟାମାଗୁଚିଙ୍କୁ ଅଲ୍ ଇଂଲଣ୍ଡ ଚାମ୍ପିୟନଶିପ୍ରେ ହରାଇଥିଲେ। ପ୍ରଥମ ଗେମ୍ରେ ସିନ୍ଧୁ ସହଜରେ ବିଜୟୀ ହୋଇଥିଲେ। ତେବେ ଦ୍ୱିତୀୟ ଗେମ୍ରେ ଏକଦା ୧୮-୨୦ରେ ପଛରେ ପଡିଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରି ସେ ୪ ପଏଣ୍ଟ ହାସଲ କରିବା ସହ ବାଜି ମାରିଥିଲେ। ୟାମାଗୁଚି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଧୈର୍ଯ୍ୟର ସହ ଖେଳି ସିନ୍ଧୁ ୟାମାଗୁଚିଙ୍କ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ପ୍ରଥମ ଗେମ୍ରେ ଏକଦା ଉଭୟ ଖେଳାଳି ୬-୬ ବରାବର ସ୍ଥିତିରେ ଥିଲେ। ଏହାପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ମାତ୍ର ୨୩ ମିନିଟ୍ରେ ୨୧-୧୩ରେ ପ୍ରଥମ ଗେମ୍କୁ ହାତେଇଥିଲେ। ଅନ୍ୟପଟେ ଦ୍ୱିତୀୟ ଗେମ୍ରେ ସେ ୬ ପଏଣ୍ଟ ଲିଗ୍ କରିବା ପରେ ୨ ପଏଣ୍ଟ ପଛରେ ପଡିଥିଲେ। ସିନ୍ଧୁ ୧୨-୬ରେ ଅଗ୍ରଣୀ ଥିବା ବେଳେ ୟାମାଗୁଚି ରଣନୀତି ବଦଳାଇଥିଲେ। ସିନ୍ଧୁଙ୍କ କ୍ଲାନ୍ତିର ଫାଇଦା ନେଇ ସେ ସ୍ଥିତି ବରାବର କରିବା ପରେ ଅଗ୍ରଣୀ ହୋଇଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରି ସିନ୍ଧୁ ୪ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ। ଦ୍ୱିତୀୟ ଗେମ୍ ୩୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଡିଫେନ୍ସରେ ଦୁର୍ବଳ ଥିବା ସିନ୍ଧୁ ତ୍ରୁଟି ସୁଧାରି ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଖେଳ ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ସିନ୍ଧୁ ସୁନ୍ଦର ଡିଫେନ୍ସ ପ୍ରଦର୍ଶନ କରିଛନ୍ତି।
ପୂର୍ବରୁ ଗୁରୁବାର ସିନ୍ଧୁ ପ୍ରି- କ୍ୱାର୍ଟର ଫାଇନାଲ ମୁକାବିଲାରେ ଡେନ୍ମାର୍କର ୧୩ତମ ସିଡ୍ ଖେଳାଳି ମିଆ ବ୍ଲିଚ୍ଫେଲ୍ଟଙ୍କୁ ହରାଇଥିଲେ। ବ୍ୟାଡମିଣ୍ଟନରେ ଅନ୍ୟ ଭାରତୀୟ ଖେଳାଳିମାନେ ବିଦାୟ ନେଇସାରିଥିବା ବେଳେ ସିନ୍ଧୁ ଅଭିଯାନ ଜାରି ରଖିଛନ୍ତି।