Tokyo: India's Pusarla Venkata Sindhu plays against Denmark's Mia Blichfeldt in the womens singles badminton match, at the Summer Olympics 2020 in Tokyo, Thursday, July 29, 2021. Sindhu won the match. (PTI Photo/Gurinder Osan)(PTI07_29_2021_000098B)
ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ଏଥର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ୨୬ ବର୍ଷୀୟା ସିନ୍ଧୁ ଗୁରୁବାର ଡେନ୍ମାର୍କର ମିଆ ବ୍ଲିଚ୍ଫେଲ୍ଟଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ଷଷ୍ଠ ସିଡ୍ ମାନ୍ୟତା ପାଇଥିବା ସିନ୍ଧୁ ୧୩ତମ ସିଡ୍ ବ୍ଲିଚ୍ଫେଲ୍ଟଙ୍କୁ ମାତ୍ର ୪୧ ମିନିଟ୍ରେ ୨୧-୧୫, ୨୧-୧୩ରେ ହରାଇ ଅଗ୍ରଗତି କରିଛନ୍ତି।
ପ୍ରଥମ ଗେମ୍ରେ ଭଲ ଆରମ୍ଭ କରିଥିଲି। କୋଚ୍ଙ୍କ ପରାମର୍ଶ କ୍ରମେ ରଣନୀତି ବଦଳାଇଥିଲି ଓ ପ୍ରଥମ ଗେମ୍ରେ ବିଜୟୀ ହୋଇଥିଲି। ଦ୍ୱିତୀୟ ଗେମ୍ରେ ମଧ୍ୟ ଭଲ ଖେଳିଥିଲି। ଅଗ୍ରଣୀ ବଜାୟ ରଖିବା ସହ ବିଜୟୀ ହୋଇଥିଲି ବୋଲି ମ୍ୟାଚ୍ ପରେ ସିନ୍ଧୁ କହିଛନ୍ତି। ସିନ୍ଧୁ ଏବେ ପରବର୍ତ୍ତୀ ମ୍ୟାଚ୍ରେ ଜାପାନର ଅକେନ ୟାମାଗୁଚିଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୟାମାଗୁଚି କୋରିଆର କିମ୍ ଗାଏଉନଙ୍କୁ ୨୧-୧୭, ୨୧-୧୮ରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ୟାମାଗୁଚିଙ୍କୁ ପୂର୍ବରୁ ସିନ୍ଧୁ ୧୧ଥର ହରାଇଥିବା ବେଳେ ତାଙ୍କଠାରୁ ୭ ଥର ପରାସ୍ତ ହୋଇଛନ୍ତି। ଚଳିତବର୍ଷ ମାର୍ଚ୍ଚରେ ସିନ୍ଧୁ ତାଙ୍କୁ ଅଲ୍ ଇଂଲଣ୍ଡ ଚାମ୍ପିୟନଶିପ୍ରେ ହରାଇଥିଲେ।
ବ୍ଲିଚ୍ଫେଲ୍ଟଙ୍କ ବିପକ୍ଷରେ ସିନ୍ଧୁ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରି ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲେ। ମଝିରେ ଅବଶ୍ୟ ବ୍ଲିଚ୍ଫେଲ୍ଟ ଛୋଟିଆ ପ୍ରତ୍ୟାବର୍ତ୍ତନ କରିବାକୁ ସଫଳ ହୋଇଥିଲେ। ବୁଧବାର ସିନ୍ଧୁ ବିଶ୍ୱର ୩୪ ନମ୍ବର ଖେଳାଳି ହଂକଂର ଏନ୍ୟାଇ ଚେଉଙ୍ଗ୍ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ ଓ ଗ୍ରୁପ୍ ଜେ’ର ଶୀର୍ଷକୁ ଉଠିଥିଲେ। ଏକମାତ୍ର ଭାରତୀୟ ଭାବେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍ମିଣ୍ଟନରେ ପଦକ ଆଶା ବଜାୟ ରଖିଛନ୍ତି। ପୂର୍ବରୁ ବି. ସାଇ ପ୍ରଣୀଥ ପୁରୁଷ ସିଙ୍ଗଲ୍ସରେ ପରାସ୍ତ ହୋଇ ବିଦାୟ ନେଇ ସାରିଛନ୍ତି। ସେ ନେଦରଲାଣ୍ଡ୍ସର ମାର୍କ କାଲିଜୋଉଙ୍କଠାରୁ ଗ୍ରୁପ୍ ଡି’ରେ ପରାସ୍ତ ହୋଇଥିଲେ। ସେହିପରି ମଙ୍ଗଳବାର ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଗ୍ରୁପ୍ରେ ଦୁଇଟି ମ୍ୟାଚ୍ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ।