ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି l ଦକ୍ଷିଣା ପବନର ପ୍ରଭାବ ଓ ଅନୁକୂଳ ପାଗ ଯୋଗୁ ଗତ ବଢ଼ି ଭୋର ସମୟରୁ ୧୦ ହଜାର ୨୨୦ ଗୋଟି ଅଲିଭ ରିଡଲେ କଇଁଚ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ବେଳାଭୁମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବିଶେଷ କରି ଏହି ବିରଳ ପ୍ରଜାତିର କଇଁଚମାନେ ବେଳାଭୂମି ଉପରକୁ ଉଠି ଆସିବା ପରେ ସେମାନଙ୍କ ପଛ ପାର୍ଶ୍ୱରେ ରହିଥିବା ଦୁଇଟି ଗୋଡ଼ ସାହାଯ୍ୟରେ ଗର୍ତ୍ତ କରି ଅଣ୍ଡାଦାନ କରିବା ପରେ ପୁଣି ସେହିସ୍ଥାନକୁ ସେହି ପଛ ପାର୍ଶ୍ୱରେ ରହିଥିବା ଗୋଡ଼ ସାହାଯ୍ୟରେ ଘୋଡାଇ ଦେଇ ନିଜ ଶରୀର ସାହାଯ୍ୟରେ ସେହି ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଗୁରୁଣ୍ଡି ଗୁରୁଣ୍ଡି ଚାଲିଯାଇଥାନ୍ତି l ଗତ ବର୍ଷ ରେକର୍ଡ ସଂଖ୍ୟକ ୬ ଲକ୍ଷ ୯୮ ହଜାର ୭୧୮ ସାମୂହିକ ଅଣ୍ଡାଦାନ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ଆମୁହିକ ଅଣ୍ଡାଦାନ ହେବ ବୋଲି ଆଶା କରାଯାଉଛି l
ଗଣ ଅଣ୍ଡାଦାନ ସୂଚନା ପାଇ ପର୍ଯ୍ୟଟକ, ବନ ବିଭାଗ, ପରିବେଶବିତ ଓ଼ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି l ଅନ୍ୟପଟେ ଡିଏଫଓ ସନି ଖୋଖର, ଏସିଏଫ ଦିବ୍ୟ ଶଙ୍କର ବେହେରା ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ପହଞ୍ଚି ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବେଳାଭୂମି ୫୦ଟି ସେଗମେଣ୍ଟ କରାଯାଇଛି l ପ୍ରତି ସେଗମେଣ୍ଟ ଦୁଇ ଜଣ କରି ୧୨ ଘଣ୍ଟା ପରେ ଆଉ ଦୁଇଜଣ ଏପରିକି ୨୦୦ ଜଣ ଲୋକଙ୍କୁ ମୁତୟନ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି l