ଋଷିକୁଲ୍ୟା ପରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ: ଅଣ୍ଡା ସଂଗ୍ରହ କଲା ବନ ବିଭାଗ

ରାଜନଗର, ୧୮ା୨( ଭାସ୍କର ରାଉତରାୟ ): ଅଲିଭ୍‌ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ରୂପେ ପରିଚିତ ଗହୀରମଥାରେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗହୀରମଥାର ନାସୀ-୨, ପେଣ୍ଠ, ଜଉଡିଆ, ହବାଳିଖଟି ଆଦି ସ୍ଥାନରେ ଅଲିଭ୍‌ ରିଡ୍‌ଲେ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ୨୦୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡା ଦେଇ ସାରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଣ୍ଡାଗୁଡିକୁ ସଂଗ୍ରହ କରାଯାଇ ବନ ବିଭାଗ ପକ୍ଷରୁ କରାଯାଇଥିବା ହାଚେରିରେ ରଖାଯାଇଛି। ଯେଉଁ ଆକୃତିର ଗାତ ଖୋଳି ଏବଂ ଯେତିକି ଗଭୀର ଗାତ ଖୋଳି ମା’ କଇଁଛ ଅଣ୍ଡା ଦେଇଛି, ସମାନ ଆକୃତି ଓ ସମାନ ଗଭୀରର ଗାତ ଖୋଳି ଅସ୍ଥାୟୀ ହାଚେରିରେ ଅଣ୍ଡାଗୁଡ଼ିକୁ ରଖାଯାଇ ବାଲିରେ ବନ ବିଭାଗର କର୍ମଚାରୀମାନେ ଘୋଡ଼ାଇ ଦେଇଛନ୍ତି।

ଫେବୃଆରୀ ୧୭ ହୋଇଥିଲେ ମଧ୍ୟ ଏଯାଏଁ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ସମୁଦ୍ର କୂଳଠୁଁ ଦେଢ଼ କି.ମି. ମଧ୍ୟରେ ସାତଭାୟାରୁ ନାସୀ-୨ ଯାଏ ଲକ୍ଷାଧିକ କଇଁଛ ଭିଡ଼ ଜମାଇବା ସହ ପାଣି ଉପରକୁ ମୁଣ୍ଡ ଟେକିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପାଗ ଅନୁକୂଳ ସହ କୂଳକୁ ଅଲିଭ୍‌ ରିଡଲେ କଇଁଛ ଆସୁଥିବାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟା ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ଚଳିତବର୍ଷ ଋଷିକୁଲ୍ୟା ମୁହାଣରେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ୨ ଦିନ ହେଲା ଆରମ୍ଭ ହୋଇସାରିଛି।