ବରୀ,୧୨(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ପଂଚାୟତ ଅଧିନସ୍ଥ ନିଳାପଦା ଗ୍ରାମର ତିଲୋତ୍ତମା ସିଂ (୭୬)ବର୍ଷ ନାମକ ବୃଦ୍ଧା ବିରୂପା ନଦୀକୁ ଦିନ ୧୧ଟା ବେଳେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବରୀ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ। ବିଗତ ଦିନରେ ଏହି ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ସର୍ବସମ୍ମୁଖରେ ବୁଡାଇ ମାରିଦେବା ଘଟଣା ଚର୍ଚ୍ଚା ଘେରକୁ ଆସିବା ସହ ବରୀ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଫଳରେ ସେହି ଲୋକମାନେ ଭୟଭୀତ ହୋଇ ନଦୀକୁ ଯାଉ ନ ଥିଲେ। କିନ୍ତୁ ଆଜି ବୃଦ୍ଧା ଜଣଙ୍କ ଏକୁଟିଆ ଯାଇ ନିଖୋଜ ହେବା ଘଟଣା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି। ଖବର ପାଇ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି,ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ,ଜିଲା ପରିଷଦ ସଭ୍ୟ ସନ୍ତୋଷ ସାମଲ,ଅଶୋକ ସାମଲ,ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପରାମିଟ ପରିଡା ଓ ସମିତି ସଭ୍ୟ ବିଭୁ ପ୍ରସାଦ ରାଉତ ପ୍ରମୁଖ ପହଞ୍ଚିଛନ୍ତି।