ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳର ସୋମା ମୁଣ୍ଡା(୬୧)। ସୂଚନା ଅନୁଯାୟୀ, ରିଆମାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗତ ମେ’ ୮ ତାରିଖ ପୂର୍ବାହ୍ନ ୧୧ଟାରେ ସୋମା ନିଜ ଘରକୁ ଡାକି ବଳାତ୍କାର କରିଥିଲେ। ନାବାଳିକା ଘରକୁ ଯାଇ ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏପରି କି ପୂର୍ବରୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ମା’ ଅଭିଯୋଗ କରିବା ପରେ ରିଆମାଳ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏସ୍‌ଆଇ ଚିନ୍ମୟ ସାହୁ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ। ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଅଦାଲତ ୧୬ ଜଣ ସାକ୍ଷୀ, ୬୩ଟି ଦସ୍ତାବିଜ, ବୈଷୟିକ ପ୍ରମାଣ ଆଧାରରେ ସୋମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ଜରିମାନା କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରମୋଦ କୁମାର ନନ୍ଦ ମାମଲା ପରିଚାଳନା କରୁଥିଲେ।

Dharitri – The Largest & Most Trusted Odia Daily

Share