କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ: ବୋହୂ ବେସାହାରା

ଦିଗପହଣ୍ଡି,୨୧ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମରେ ରବିବାର କୂଅରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୁଡି ଗମାଙ୍ଗ (୬୭)।

ଅସାବଧାନତା କାରଣରୁ ବୁଡ଼ି କୂଅରେ ପଡ଼ିଯାଥିଲେ। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ପାଟପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଫେରିବା ପରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା। ମୃତା ବୁଡିଙ୍କ ସ୍ବାମୀ ମୂଷା ଗମାଙ୍ଗ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଗତ କିଛି ମାସ ପୂର୍ବେ ଗ୍ରାମରେ ବ୍ୟାପୀଥିବା ହଇଜାରେ ତାଙ୍କ ପୁଅ ପ୍ରକାଶ ରଇତଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ତାଙ୍କ ବୋହୂ ଜୟନ୍ତୀ ବିଧବା ଅବସ୍ଥାରେ ଛୋଟ ଝିଅକୁ ଧରି ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ଏଭଳି ଅସମୟରେ ବୁଡିଙ୍କ ମୃତଦେହ ସତ୍କାର ପାଇଁ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ଯୋଗାଇ ଦିଆଯାଇ ପାରି ନ ଥିବା ଜଣାପଡ଼ିଛି। ବେସାହାରା ଜୟନ୍ତୀଙ୍କ ପରିବାରକୁ ପ୍ରଶାସନ ସମସ୍ତ ପ୍ରକାର ସହାୟତାର ହାତ ବଢାଇବାକୁ ସାମାଜିକ କର୍ମୀ ମନୋଜ କୁମାର ସାହୁ ଦାବି କରିଛନ୍ତି।