ବୃଦ୍ଧଙ୍କୁ ନଦୀ ପଠାରେ ନିମର୍ମ ହତ୍ୟା, ମୃତ ଦେହ ଜବତ

ଚିକିଟି,୧୨।୧୦ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ ନୂଆଗାଁ ଥାନା ନୂଆପଡା ଗ୍ରାମ ଚାରିଆ ପଡା ସାହିର ନାରାୟଣ ପ୍ରଧାନ (୫୯)ଙ୍କୁ ରବିବାର କୌଣସି ଦୁର୍ବୁତ୍ତ ନିମର୍ମ ଭାବେ ହତ୍ୟା କରିଥିବା ଜଣାପଡିଛି। ମୃତ ଦେହକୁ ନୂଆପଡା ଫାଣ୍ଡି ପୋଲିସ ଗାଁ ନିକଟ ବାହୁଦା ନଦୀ ପଠାରୁ ଜବତ କରି ତଦନ୍ତ ଚଳାଇଛନ୍ତି। ନାରାୟଣ ଦିନ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କ ପରିବାର ସହ କୌଣସି କାରଣ ୁ ମତାନ୍ତର ହେବାରୁ ସେ ପରିବାରଠାରୁ ଅଲଗା ରହୁଥିଲେ। ନଦୀ ପଠାରେ ତାଙ୍କର ଏକ ବଗିଚା କରି କିଛି ଅର୍ଥ ରୋଜଗାର କରୁଥିଲେ। ସେଠାକୁ ସେ ପ୍ରତିଦିନ ଭୋର ସମୟରେ ଫୁଲ ତୋଳିବାକୁ ଯାଉଥିଲେ। ପ୍ରତିଦିନ ଭଳି ରବିବାର ଦିନ ଭୋରରୁ ସେଠାରୁ ଫୁଲ ତୋଳି ନଦୀ ପଠାରେ ତାଙ୍କର ପୋଷାକ ରଖିଥିବା ବେଳେ ତାଙ୍କ ମୃତ ଦେହ ନଦୀ ପାଣି ଧାରରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡ଼ିଥିବା କେତେକ ଲୋକ ଦେଖିବା ପରେ ନୂଆପଡା ପୋଲିସକୁ ଜଣାଇ ଥିଲେ । ନୂଆପଡା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ନାରାୟଣଙ୍କ ପୁଅ ଶିବ ପ୍ରଧାନ ମୋ ବାପାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା କେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏହି ହତ୍ୟା ଘଟଣା ଗ୍ରାମରେ ପ୍ରଥମଥର ହେବାରୁ ଆତଙ୍କ ଓ ଭୟର ବାତାବରଣ ଦେଖା ଦେଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ସ୍ଥିତ ବଡ ମେଡିକାଲକୁ ପଠାଇଛନ୍ତି। କେ ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ, ଚିକିଟି ଏସ ଡି ପି ଓ ବିଶ୍ୱାମିତ୍ର ହରପାଲ ଘଟଣାର ତଦନ୍ତ ଚଳାଇଛନ୍ତି।

 

Dharitri – Odisha’s No.1 Odia Daily