ଭେଡେନ,୧୧।୧୦(ହୃଷିକେଶ ଖମାରୀ): ଦିନକୁ ଦିନ ଲୋପ ପାଇ ବସିଲାଣି ମାଟି ତିଆରି କାରିଗରି । ମାତ୍ର ବରଗଡ଼ ଜିଲା ଭେଡେନ ବ୍ଲକ ଦେଶଉଟଲି ପଞ୍ଚାୟତ ଅନ୍ତର୍ଗତ ଦେଶ କୁମ୍ଭାରୀ ଗ୍ରାମର ଅଭିଲ ରଣା ଏହାକୁ ବଞ୍ଚାଇ ରଖିଛନ୍ତି । ତାଙ୍କ ବୟସ ୭୦ ବର୍ଷ ଟପିଲାଣି । ହେଲେ ତାଙ୍କଠାରେ ବୟସ ହାର ମାନି ନାହିଁ। ବୃଦ୍ଧ ବୟସର କାନ୍ଧରେ ଭାର ସାହାଯ୍ୟରେ ପାତଲି, ହାଣ୍ଡି ଆଦି ମାଟିପାତ୍ର ଧରି ଖାଲିପାଦରେ ଗାଁ ଗାଁ ଯାଇ ତାହା ବିକ୍ରି କରୁଛନ୍ତି।
ସେହି ବୃତ୍ତି ହିଁ ତାଙ୍କ ପରିବାରକୁ ଦାନା ଯୋଗାଇ ଆସୁଛି ବୋଲି ଅଭିଲ କହିଛନ୍ତି । ସେ ଛୋଟ ବେଳୁ ତାଙ୍କ ବାପାଙ୍କଠାରୁ ମାଟି ତିଆରି ପାତ୍ର ତିଆରି କରିବା ଶିଖିଥିଲେ । ହେଲେ ତାଙ୍କୁ ୭୦ ବର୍ଷ ବୟସ ଟପିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ତାଙ୍କୁ ମିଳି ନାହିଁ । ସେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଯାଇ ଭତ୍ତା ପାଇଁ ଆବେଦନ କରି ଆସୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିବା ସେ କହିଛନ୍ତି । ସକାଳୁ ଘରୁ ମାଟି ତିଆରି ପାତ୍ର ଭାର କରିଧରି ଗାଁଗାଁ ଯାଇ ବିକ୍ରି କରି ଘରକୁ ସନ୍ଧ୍ୟାରେ ଫେରୁଛନ୍ତି। ପୂର୍ବଭଳି ଆଉ ମାଟିପାତ୍ର ବିକ୍ରି ହେଉ ନାହିଁ । ଫଳରେ ପରିବାର ପ୍ରତିପୋଷଣରେ ସେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର କଲେ ସମସ୍ୟା କିଛି ଲାଘବ ହେବ ବୋଲି ଅଭିଲ ମନରେ ଆଶା ବାନ୍ଧିଛନ୍ତି ।