କେସିଙ୍ଗା,୧୬ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ସର୍ବ ପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ଜର୍ନାଲିଷ୍ଟ ୟୁନିୟନ (ଓଜେୟୁ) ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟିର ସଭାଗୃହରେ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି।
ଜିଲା ସଭାପତି ନିରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ଅତିଥି, ଏସଡିପିଓ ସନ୍ଦୀପ କୁମାର ମାଝୀ ସମ୍ମାନିତ ଅତିଥି ଏବଂ କେସିଙ୍ଗା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ବି. ଚନ୍ଦ୍ରଶେଖର ଆଚାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ତୁମେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଅତିଥିମାନେ ଜାତୀୟ ପ୍ରେସ ଦିବସର ମୂଳ ଉଦ୍ଦେଶ୍ୟ ଓ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିବା ସହ ସାମ୍ବାଦିକମାନଙ୍କୁ ସଠିକ୍ ଓ ନିରପେକ୍ଷ ଖବର ପ୍ରସାରଣ ପାଇଁ ଗୁରୁତ୍ୱାରୋପ କରି ଅନୁରୋଧ କରିଥିଲେ।
ଏହି ଅବସରରେ, ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲଳିତ କୁମାର ଅଗ୍ରୱାଲ ଏବଂ ବରିଷ୍ଠ ସାମ୍ବାଦିକ ଭିକାରୀ ଗୌଡ଼ଙ୍କୁ ୟୁନିୟନ୍ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ, ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉପସଭାପତି ମଧୁ ସିନ୍ଦୂର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଫିରୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।