ତେଲ ଦାମ୍ ୩% ବଢ଼ିଲା, ରୁଷିଆ ତେଲ କିଣିବାକୁ ପୁନଃବିଚାର କରୁଛି ଭାରତ

ନୂଆଦିଲ୍ଲୀ,୨୩।୧୦: ଆମେରିକା ଦ୍ୱାରା ରୁଷିଆର ମୁଖ୍ୟ ତୈଳ କମ୍ପାନୀଗୁଡ଼ିକ ଉପରେ ନୂଆ କଟକଣା ଲାଗୁ ହେବା ପରେ ଭାରତୀୟ ରିଫାଇନାରୀମାନେ ରୁଷୀୟ ଅଶୋଧିତ ତୈଳ କ୍ରୟ ଯୋଜନାକୁ ପୁନଃବିଚାର କରୁଥିବା ଖବର ମିଳିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ପ୍ରାୟ ୩% ବୃଦ୍ଧି ପାଇଛି।

ଆମେରିକା ରୁଷିଆର ବୃହତ୍ ତୈଳ ଉତ୍ପାଦନକାରୀ କମ୍ପାନୀ ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ କଟକଣା ଲଗାଇଛି। ଏହା ପରେ ଭାରତ, ଯିଏ ୨୦୨୨ରୁ ରିହାତି ମୂଲ୍ୟରେ ରୁଷୀୟ ତୈଳର ସବୁଠୁ ବଡ଼ କ୍ରେତା ପାଲଟିଥିଲା, ସେ ଏବେ ଅନ୍ୟ ଯୋଗାଣକାରୀଙ୍କ ଆଡ଼କୁ ମୁହାଁଇବାକୁ ବାଧ୍ୟ ହୋଇପାରେ। ଭାରତର ପ୍ରମୁଖ ଘରୋଇ ରିଫାଇନାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରୁଷିଆରୁ ତୈଳ ଆମଦାନୀ ହ୍ରାସ କରିବାକୁ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ସରକାରୀ ରିଫାଇନାରୀଗୁଡ଼ିକ ମଧ୍ୟ ସେମାନଙ୍କ କ୍ରୟ ଯୋଜନା ସମୀକ୍ଷା କରୁଛନ୍ତି।

ବଜାରରେ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଯୋଗୁଁ ତୈଳ ଦରରେ ତୀବ୍ର ବୃଦ୍ଧି ଘଟିଛି। ବ୍ରେଣ୍ଟ୍ କ୍ରୁଡ୍ ଫ୍ୟୁଚର୍ସ ୨.୧୨ ଡଲାର ବୃଦ୍ଧି ପାଇ ପ୍ରତି ବ୍ୟାରେଲ୍‌କୁ ୬୪.୭୧ଡଲାର ରେ ପହଞ୍ଚିଥିବାବେଳେ, ୟୁଏସ୍ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ମଧ୍ୟ ୨.୦୯ ବୃଦ୍ଧି ପାଇ ୬୦.୫୯ ରେ କାରବାର କରିଛି।

ଏହି ଦର ବୃଦ୍ଧିକୁ କିଛି ବିଶ୍ଳେଷକ କେବଳ ଏକ କ୍ଷଣିକ ପ୍ରତିକ୍ରିୟା ବୋଲି କହିଛନ୍ତି। ସେମାନଙ୍କ ମତରେ, ପୂର୍ବରୁ ଲାଗୁ ହୋଇଥିବା କଟକଣା ରୁଷିଆର ତୈଳ ଉତ୍ପାଦନ କିମ୍ବା ରାଜସ୍ୱ ଉପରେ ବିଶେଷ ଦୀର୍ଘକାଳୀନ ପ୍ରଭାବ ପକାଇ ନଥିଲା, କାରଣ ଭାରତ ଏବଂ ଚାଇନା ପରି କ୍ରେତାମାନେ କ୍ରୟ ଜାରି ରଖିଥିଲେ। ଆଗାମୀ ଦିନଗୁଡ଼ିକରେ ତୈଳ ଦର OPEC ଉତ୍ପାଦନ, ଚାଇନାର ତୈଳ ମହଜୁଦ୍ ଏବଂ ଭୌଗୋଳିକ ରାଜନୈତିକ ଉତ୍ତେଜନା ଉପରେ ନିର୍ଭର କରିବ।