ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍ରେ ପାଳନ କରାଯାଉଛି। ଓଡ଼ିଆ ଅସ୍ମିତା ଓଡିଶାର ପରମ୍ପରା ସଂସ୍କୃତି, ଐତିହକୁ ପୁନଃରୁଦ୍ଧାର କରିବା ପାଇଁ ପାରମ୍ପରିକ ପୋଷାକ ପରିଧାନଠାରୁ ଆରମ୍ଭ କରି ଖାଦ୍ୟ, ଚଳଣି ଆଦିକୁ ପୁଣି ଉଜ୍ଜୀଜିତ କରିବାକୁ ପ୍ରୟାସ କରାଯାଉଛି। ରାଜ୍ୟ ସରକାର ଏହାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି।
ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସକାଳ ୬.୩୦ରେ ଓଡ଼ିଆ ପକ୍ଷ ପାଳନ ପାଇଁ ପୂର୍ବରୁ ସମସ୍ତ ବିଭାଗ ତଥା ପୋଲିସ ବିଭାଗ ସମେତ ବିଇଓ ଅଫିସ, ତହସିଲ ଅଫିସ, ବନ ବିଭାଗ, ସିଡିପିଓ ଅଫିସ ସମେତ ସମସ୍ତ ବିଭାଗର ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଐତିହ୍ୟ ଗଣଦୌଡ଼ରେ ସାମିଲ ହେବାକୁ ନିବେଦନ କରାଯାଇଥିଲା। କିନ୍ତୁ ଏହି ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମକୁ କୌଣସି ବିଭାଗ ଗୁରୁତ୍ୱ ଦେଇନଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଗଣଦୌଡରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ଏହାକୁ ଉଦଘାଟନ କରିଥିବାବେଳେ ହାତ ଗଣତି ବ୍ଲକ କର୍ମଚାରି ଯୋଗଦାନ କରି ଥିଲେ। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବିଏସଏସଓ କ୍ଷେତିଶ ପ୍ରିୟଦର୍ଶି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକ କାର୍ଯ୍ୟାଳୟରୁ ଶିବ ମନ୍ଦିର ଛକ ପର୍ଯ୍ୟନ୍ତ ଏହି ହାତ ଗଣତି ବ୍ଲକ କର୍ମଚାରି ଓ ସ୍ଥାନୀୟ ଲୋକ ଏହି ଦୌଡରେ ସାମିଲ ହୋଇଥିଲେ। ଓଡ଼ିଆ ପକ୍ଷ ପାଳନ ଏକ ପ୍ରକାର ପ୍ରହସନ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବ୍ଲକକୁ ଛାଡିଦେଲେ କୌଣସି ବିଭାଗକୁ ଏହା କୌଣସି ପ୍ରଭାବ ପକାଉ ନ ଥିବା ନେଇ ଆଲୋଚନା ହେଉଛି।