Categories: Home Leftଖେଳ

ଓଏଫ୍‌ସିର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ

ଭୁବନେଶ୍ୱର,୭୨ (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର ଲିଗ୍‌ର ଏକ ମ୍ୟାଚ୍‌ରେ ଏଫ୍‌ସି ଗୋଆ ସହିତ ପଏଣ୍ଟ ବାଣ୍ଟିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚଟି ୧-୧ରେ ଅମୀମାଂସିତ ରହିଥିଲା। ମ୍ୟାଚର ଅନ୍ତିମ ୩୦ ମିନିଟ ଓଏଫ୍‌ସି ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିବା ବେଳେ ଦଳର ଡିଫେଣ୍ଡର ଓ ଗୋଲକିପର ଚମତ୍କାର ଖେଳ ପ୍ରଦର୍ଶନ କରି ୧ ପଏଣ୍ଟ ହାସଲ କରିବା ସହିତ ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଛନ୍ତି। ଦଳ ସପ୍ତମ ସ୍ଥାନରେ ରହିଥିବା ବେଳେ ହାତରେ ଆହୁରି ୩ ମ୍ୟାଚ ରହିଥିବା ବେଳେ ପ୍ଲେ ଅଫ୍‌ ଆଶା ଉଜ୍ଜିବୀତ ରହିଛି।
ପ୍ଲେ ଅଫ୍‌ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ୪-୩-୩ କମ୍ବିନେଶନ ସହିତ ଉଭୟ ଦଳ ପଡିଆକୁ ଓହ୍ଲାଇଥିଲେ। ଓଏଫ୍‌ସି ଟସ୍‌ ଜିତିବା ସହିତ ପ୍ରଥମେ ଖେଳ ଆରମ୍ଭ କରିଥିଲା। ମ୍ୟାଚର ଦ୍ୱିତୀୟ ମିନିଟରେ ଗୋଲ ସ୍କୋର କରିବା ସହିତ ଗୋଆକୁ ଅଗ୍ରଣୀ କରିଥିଲେ ନୋଆ ଅଲି ସଦାଓଓ୍ବୀ। ଓଏଫ୍‌ସି ମିଡଫିଲ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ ଆଲଭେରୋ ଗାର୍ସିଆ ଭାଜକ୍ୱେଜଙ୍କ ପାଶ୍‌ କରିଥିଲେ। ଲେଫ୍ଟ କର୍ନରରୁ ଅମରିନ୍ଦର ସିଂଙ୍କୁ ପରାସ୍ତ କରି ଗୋଲ ସ୍କୋର କରିଥିଲେ ନୋଆ ଅଲି। ୪୩ ତମ ମିନିଟରେ ଓଏଫ୍‌ସିର ଡିଏଗୋ ମରିସିଓ ଏହି ଗୋଲଟିକୁ ପରିଶୋଧ କରିଥିଲେ। ଗୋଆ ଅଧିନାୟକ ବ୍ରାଣ୍ଡନ ଫର୍ନାଣ୍ଡେସ ଓଏଫ୍‌ସି ମିଡଫିଲ୍ଡର ଆଇଜାକ ଭନଲାଲରୁଆଟଫେଲ୍ଲାଙ୍କୁ ଧକ୍କା ଦେବାରୁ ଓଏଫ୍‌ସିକୁ ଏକ ଫ୍ରି କିକ୍‌ ମିଳିଥିଲା। ଡିଏଗୋ ମରିସିଓ ଏହି ଫ୍ରି କିକ୍‌ରୁ ଗୋଲ ସ୍କୋର କରିବା ସହିତ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ତେବେ ମ୍ୟାଚର ୬୭ ତମ ମିନିଟରେ ଓଡ଼ିଶାର ସାହିଲ ପନଓ୍ବରଙ୍କୁ ମିଳିଥିଲା ରେଡକାର୍ଡ। ପଛଆଡୁ ଟ୍ୟାକେଲ ପ୍ରୟାସରେ ସାହିଲ ମ୍ୟାଚର ଦ୍ୱିତୀୟ ୟେଲୋ କାର୍ଡ ପାଇ ପଡିଆ ଛାଡିଥିଲେ। ପ୍ରଥମାର୍ଦ୍ଧରେ ଓଏଫ୍‌ସି ୫୧% ସମୟ ବଲ ନିୟନ୍ତ୍ରଣରେ ରଖିଥିବା ବେଳେ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ଏହା ୪୦%ରେ ପହଞ୍ଚିଥିଲା। ୮୦ ଓ ୮୯ ତମ ମିନିଟରେ ହର୍ନାନ ସାଣ୍ଟାନାଙ୍କ ଦୁଇଟି ପ୍ରୟାସକୁ ନିଷ୍ଫଳ କରିବା ସହିତ ଓଏଫ୍‌ସି ଏକ ପଏଣ୍ଟ ହାସଲ କରିଥିଲା। ଏହି ମ୍ୟାଚ ସହିତ ଓଏଫ୍‌ସି ୧୭ ମ୍ୟାଚରୁ ୨୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।