ନୂଆଦିଲ୍ଲୀ,୨୨।୨: ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ସେ ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏ ନେଇ ତାଙ୍କ ପୁଅ ମନୋଜ ରାଉତ ସୂଚନା ଦେଇଛନ୍ତି। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଶୋକବ୍ୟକ୍ତ କରି ସେ ଲେଖିଛନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶୀକୁ ଶାସ୍ତ୍ର ଭିତ୍ତିକ ଜ୍ଞାନରେ ପୁନର୍ଜୀବିତ କରିବାରେ ସେ ଅଗ୍ରଣୀ ଦାୟିତ୍ୱ ତୁଲାଇଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ଗରିମା ତଥା ଓଡ଼ିଶାର ଅଭିନୟ ଶବ୍ଦକୋଷକୁ ସମୃଦ୍ଧ କରିବାରେ ତାଙ୍କର ଜୀବନବ୍ୟାପୀ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।