ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ ଓଡ଼ିଶା ସରକାରଙ୍କ ପାଖରେ କୌଣସି ସୂଚନା ନାହିଁି। ଉପର ଉଦନ୍ତୀ ଓ ତଳ ଉଦନ୍ତୀରେ ଜଳସେଚନ ପ୍ରକଳ୍ପ ପାଇଁ ଓଡ଼ିଶା ପୂର୍ବରୁ କେନ୍ଦ୍ରୀୟ ଜଳ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ହେଲେ ଏନେଇ ଅନୁମତି ମିଳିନାହିଁ। ଫଳରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଅନିଶ୍ଚିତତା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ପକ୍ଷରୁ ବ୍ୟାରେଜ ନିର୍ମାଣ କରାଗଲେ, ଓଡ଼ିଶାରେ ପ୍ରବାହିତ ପ୍ରାୟ ୮୦ କିମି ଉଦନ୍ତୀ ନଦୀର ଜଳସ୍ରୋତ ଶୁଖିଯିବ ଏବଂ ଏହା ଉପରେ ନିର୍ଭର କରୁଥିବା ଚାଷୀ ଓ ଲୋକେ ପାଣି ମୁନ୍ଦିଏ ପାଇବାରୁ ବଞ୍ଚିତ ହେବେ।
ଛତିଶଗଡ଼ ଗରିଆବନ୍ଧର ଦଣ୍ଡକାରଣ୍ୟ ସଂରକ୍ଷିତ ଜଙ୍ଗଲରୁ ଉଦନ୍ତୀ ନଦୀ ବାହାରି ଓଡ଼ିଶାର କଳାହାଣ୍ଡି ଜିଲାର ସେପୁର ଠାରେ ତେଲ ନଦୀରେ ସଂଯୋଗ ହୋଇଛି। ଓଡ଼ିଶାର ନୂଆପଡା ଜିଲାରେ ୩୧.୨୪ କିମି ଥିବାବେଳେ କଳାହାଣ୍ଡିରେ ଜିଲାରେ ପ୍ରାୟ ୫୦ କିମି ନଦୀ ପଥ ଲମ୍ବିଛି। ଛତିଶଗଡ଼ ସରକାର ଉଦନ୍ତୀ ସୀତାନଦୀ
ସଂରକ୍ଷିତ ଜଙ୍ଗଲକୁ ୨୦୦୩ ମସିହାରେ ବ୍ୟାଘ୍ର ଅଭୟାରଣ୍ୟ ରୂପେ ଘୋଷଣା କରିଥିଲେ। ଏଠାରେ ପକ୍ଷୀ ଅଭୟାରଣ୍ୟ ଓ ବଣ ମଇଁଷିଙ୍କ ନିମନ୍ତେ ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଛତିଶଗଡ଼ର ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଏହି ବ୍ୟାରେଜ କେବଳ ପରୋକ୍ଷରେ ଓଡ଼ିଶାକୁ ଅକଳରେ ପକାଇବା ପାଇଁ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।୧୯୬୫ ମସିହାରୁ ଉଦନ୍ତୀ ନଦୀ ଉପରେ ନୂଆପଡ଼ା ଜିଲା ସିନାପାଲି ବ୍ଲକ୍ର ଗୋର୍ଲାଠାରେ ଏକ ବ୍ୟାରେଜ ଏବଂ କଳାହାଣ୍ଡି ଜିଲାର ଭବାନୀପାଟଣା ବ୍ଲକ ବୋର୍ଡଠାରେ ବ୍ୟାରେଜ୍ ନିର୍ମାଣ ପାଇଁ ପ୍ରୟାସ ହୋଇ ବର୍ତ୍ତମାନ ସୁଦ୍ଧା ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଉପର ଉଦନ୍ତୀ ପ୍ରକଳ୍ପ ହେଲେ ନୂଆପଡ଼ା
ଜିଲାର ପ୍ରାୟ ୮୫୦୦ ହେକ୍ଟର ଓ କଳାହାଣ୍ଡି ଜିଲାର ବୋର୍ଡ ଠାରେ ୯୩୦୦ ହେକ୍ଟର ଜମି ଜଳସେଚିତ ହେବାର ପ୍ରସ୍ତାବ ରହିଛି।
ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲାର ପ୍ରାୟ ୪ ହଜାର ଏକର ଜମିରେ ଜଳସେଚନ ସୁବିଧା ହୋଇପାରିବ। ୨୦୧୮ ଓଡ଼ିଶା ସରକାର ଫେରାଦ ହୋଇଥିବା ବେଳେ ମହାନଦୀ ଅବବାହିକା ବିବାଦ ଯୋଗୁ ଏହାର ଅନୁମତି ମିଳି ପାରୁନାହିଁ। ତେବେ ଏହି ଅନୁମତି ମିଳିବା ପୂର୍ବରୁ ଛତିଶଗଡ଼ ଚାଲାକି କରି ବନ୍ୟଜନ୍ତୁ ସଂରକ୍ଷଣ ପ୍ରକଳ୍ପ ଆଳରେ ଉଦନ୍ତୀ ଉପରେ ବ୍ୟାରେଜ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛି। ଏହା ଓଡ଼ିଶାକୁ ଅସୁବିଧାରେ ପକାଇବା ପାଇଁ ଯୋଜନା ଚଳାଇଥିବା କୁହାଯାଉଛି।