ମୁଖ୍ୟମନ୍ତ୍ରୀଙ୍କୁ ଭେଟଲେ ଓଡ଼ିଶା ଆଦିବାସୀ ମହାସଂଘ କର୍ମକର୍ତ୍ତା, ପ୍ରତିଶ୍ରୁତି ଦେଇ କହିଲେ ଆଦିବାସୀ ପାଇଁ…

ଭୁବନେଶ୍ୱର,୨୪।୭: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଆଦିବାସୀ ମହାସଂଘର କର୍ମକର୍ତ୍ତା ଭେଟି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଏବଂ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା ରହିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି। ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଭାଜପା ସରକାର ମଧ୍ୟ ଆଦିବାସୀଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି।

ଜୀବନ ଜୀବିକା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଦିବାସୀ ଅଞ୍ଚଳଗୁଡିକର ସାମଗ୍ରିକ ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଉଛି। ଆଦିବାସୀ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ମହାସଂଘକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଲୋଚନା ମାଧ୍ୟମରେ ସବୁ ସମସ୍ୟା ସମାଧାନ ହେବ ବୋଲି କହିଥିଲେ। ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ମହାସଂଘର ସଭାପତି କର୍ମା ଲାକ୍ରା, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ନାୟକ ଏବଂ ପ୍ରାୟ ୧୧ ଜିଲାରୁ ସଦସ୍ୟମାନେ ଯୋଗ ଦେଇଥିଲେ।