ଭୁବନେଶ୍ୱର, ୨୨।୬: ଓଡ଼ିଶାର ପ୍ରତିଭାବାନ ସନ୍ତରଣ ଖେଳାଳି ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ (ମହିଳା) ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ଚାମ୍ପିଅନସିପର ପ୍ରଥମ ଦିନରେ ଶ୍ରୀଷ୍ଟି ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଜୁନ ୨୬ ପର୍ଯ୍ୟନ୍ତ ଚାଲିବ। ରବିବାର ସକାଳେ ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱିମିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ଆର.ଏନ. ଜୟପ୍ରକାଶ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇଭେଣ୍ଟର ଉଦ୍ଘାଟନ କରିଥିଲେ।
ସ୍ୱର୍ଣ୍ଣପଦକ ଜିତିବା ପରେ ଶ୍ରୀଷ୍ଟି କହିଛନ୍ତି, “ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପର ପ୍ରଥମ ଦିନରେ ସ୍ୱର୍ଣ୍ଣପଦକ ଜିତି ମୁଁ ବହୁତ ଖୁସି। ଏହା ମୋର ପ୍ରଥମ ବ୍ୟକ୍ତିଗତ ପଦକ। ମୁଁ ୫୦ ମିଟର ଓ ୨୦୦ ମିଟର ବଟରଫ୍ଲାଇ ଇଭେଣ୍ଟରେ ମଧ୍ୟ ଭାଗ ନେବି। ମୋର ତୁରନ୍ତ ଲକ୍ଷ୍ୟ ହେଉଛି ଏସୀୟ ଚାମ୍ପିଅନସିପ ଓ ଏସୀୟ ଖେଳ ପାଇଁ ଚୟନ ହେବା।”
ଶ୍ରୀଷ୍ଟିଙ୍କ ଏହି ସଫଳତା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଗୌରବ ଆଣିଛି। ତାଙ୍କର ଏହି ପ୍ରଦର୍ଶନ ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ମଧ୍ୟ ପ୍ରେରଣା ସାଜିଛି। ଆଗାମୀ ଦିନରେ ଶ୍ରୀଷ୍ଟିଙ୍କ ଅନ୍ୟ ଇଭେଣ୍ଟରେ ପ୍ରଦର୍ଶନ ଓ ତାଙ୍କର ଆନ୍ତର୍ଜାତୀୟ ଲକ୍ଷ୍ୟ ଉପରେ ସମସ୍ତଙ୍କ ନଜର ରହିଛି।