ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ ସୂଚନା ମିଳିଛି। ମୟୂରଭଞ୍ଜର କାଞ୍ଜିଆ ସୁନା ଖଣିରେ ପ୍ରାୟ ଦେଢ଼ ଟନ୍ ସୁନା ଥିବା ଆକଳନ କରାଯାଇଛି।
ଗୁରୁବାର ବିଧାନସଭାରେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (GSI) ପକ୍ଷରୁ କରାଯାଇଥିବା G-2 ସ୍ତରୀୟ ସର୍ଭେ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ମଦନଶାହୀ-କାଞ୍ଜିଆ ସାଇଟ୍ରେ ପ୍ରାୟ ୧,୪୬୨ କିଲୋଗ୍ରାମ ୭୩୦ ଗ୍ରାମ ସୁନା ଗଚ୍ଛିତ ରହିଛି।
ମନ୍ତ୍ରୀଙ୍କ ସୂଚନା ମୁତାବକ, କେବଳ ମୟୂରଭଞ୍ଜ ନୁହେଁ ବରଂ ଅନ୍ୟ ଦୁଇଟି ଜିଲ୍ଲାରେ ମଧ୍ୟ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ର ଆଦାସ-ରାମପଲ୍ଲୀ ଅଞ୍ଚଳରେ ସୁନା ମିଳିବା ନେଇ ସ୍ପଷ୍ଟ ହୋଇଛି ଏବଂ କେନ୍ଦୁଝରର ଗୋପୁର-ଜଳଡିହି ଅଞ୍ଚଳରେ ଅନୁସନ୍ଧାନ ଜାରି ରହିଛି।
ଓଡ଼ିଶା ଖଣି ନିଗମ (OMC) ର ପ୍ରାଥମିକ ସର୍ଭେ ଅନୁଯାୟୀ, ରାଜ୍ୟର ମୋଟ ୯ଟି ଜେଲରେ ସୁନା ମିଳିବାର ସମ୍ଭାବନା ରହିଛି। ସେଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ଅନୁଗୋଳ, ବୌଦ୍ଧ, ସମ୍ବଲପୁର ଏବଂ ଦେବଗଡ଼।
୨୦୨୩ ଫେବୃଆରୀ ୨୭ରେ ପ୍ରଥମ ଥର ପାଇଁ ସରକାର ସୁନା ଖଣି ଥିବା ସ୍ୱୀକାର କରିଥିଲେ। ୧୯୮୦ ଦଶକରୁ ଆରମ୍ଭ ହୋଇଥିବା ଏହି ଅନ୍ୱେଷଣ ଏବେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବ୍ୟବସାୟିକ ରୂପ ନେବାକୁ ଯାଉଛି। ଏହି ବିପୁଳ ସୁନା ସମ୍ପଦ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।