ଘର ଖୋଲା ଦେଖି ସବୁ ସୁନାଗହଣା ଲୁଟିନେଇ ଚାଲିଗଲେ ମହିଳା ଭିକାରୀ, ସିସିଟିଭି ଦେଖି…

ରାୟଗଡ଼ା,୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ରାଣିଗୁଡ଼ା ଫାର୍ମ ଦିତୀୟ ଲେନର ମହେଶ କୁମାରଙ୍କ ଘରେ ଦିନ ୧୧ ସମୟରେ ଦିବାଲୋକରେ କଳା କନା ବୁଲାଇଦେଇଛନ୍ତି ଦୃର୍ବୁତ୍ତ। ମହେଶ କୁମାରଙ୍କ ଘରୁ ସୋମବାର ୧୧ଟା ବେଳେ ୭ ଭରି ସୁନା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି।

ଘଟଣାରୁ ପ୍ରକାଶ ଯେ, ମହେଶ ଓ ତାଙ୍କ ପରିବାର କୌଣସି ଏକ କାର୍ଯ୍ୟକ୍ରମକୁ ଯିବା ପାଇ ବାହାରିଥିଲେ। ଏହି ସମୟରେ ତାଙ୍କ ଘର ଲୋକେ ଆଲମିରାରୁ ସୁନା ଗହଣା ବାହାର କରିଥିଲେ ପିନ୍ଧିବା ପାଇଁ। ହେଲେ କୌଣସି କାମ ପାଇଁ ଘର ଖୋଲା ରଖି ପ୍ରଥମ ମହଲାକୁ ଯାଇଥିଲେ। ଫେରିବା ବେଳେ ଘରେ କେହି ପଶି ସୁନା ଚୋରି କରିନେଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୋଲିସ ଏତଲା ଦେବା ପରେ ପୋଲିସ ଏସ୍‌ଆଇ ମନୋଜ ଜେନା ଓ ଟିମ ଆସି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ସିସିଟିଭି ଫୁଟେଜରେ ଉକ୍ତ ସମୟରେ ଜଣେ ଗର୍ଭବତୀ ମହିଳା ତାଙ୍କ ଘରେ ପଶି କିଛି ସମୟ ପରେ ବାହାରି ଯାଇଥିବା ଦେଖିବାକୁ ପାଇଥିଲା ପୋଲିସ। ତେବେ ପୋଲିସ ବର୍ତ୍ତମାନ ଉକ୍ତ ମହିଳାଙ୍କୁ ଖୋଜୁଥିବା ନେଇ ଜଣାପଡିଛି।

ପ୍ରକାଶ ଥାଉକି ରାୟଗଡ଼ା ସହରକୁ ବାହାରୁ ଆସି ବହୁ ଫେରିବାଲା ଓ ଖୁଚୁରା ବେପାରୀ ଦିନରେ ସାମଗ୍ରୀ ବିକ୍ରୀ କରି ରାତିରେ ଚୋରି କରୁଛନ୍ତି। ତେବେ ବର୍ତ୍ତମାନ ଏହିଭଳି ଦିନରେ ଚୋରି କରିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏନେଇ ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି ଯେ, ବାହାର ରାଜ୍ୟରୁ ଏଠାକୁ ଆସିଥିବା ଲୋକଙ୍କୁ ଖୋଜି ସେମାନଙ୍କୁ ଟ୍ରେନ ଯୋଗେ ସହରରୁ ବାହାରକୁ ସେମାନଙ୍କ ଗାଁକୁ ପଠାଯାଉଛି। ତେବେ ଲୋକେ ମଧ୍ୟ ସଚେତନ ରହିବା ସହ ଭଡାଟିଆଙ୍କ ସମସ୍ତ ସଠିକ ସୂଚନା ସଂଗ୍ରହ କରି ପୋଲିସ ନିକଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଏହାଦ୍ବାରା ପୋଲିସ ନଜର ରଖିବା ସହିତ ସେମାନଙ୍କ ସତ୍ୟାସତ୍ୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁବିଧା ହେବ ବୋଲି ଆଇଆଇସି ବେହେରା କହିଛନ୍ତି।

Share