ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍ରେ ବିଭିନ୍ନ ପ୍ରସଙ୍ଗରେ କଡ଼ା ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ, ବିଧେୟକଟି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ସୀମା ସୁରକ୍ଷା ବଳ, ଭାରତ-ତିବ୍ବତ ସୀମା ପୋଲିସ ଓ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ମଧ୍ୟରେ ସମନ୍ବୟ ବୃଦ୍ଧି କରିବା ଏବଂ ସରଳିକରଣ କରିବାରେ ଗୁରୁତର ତ୍ରୁଟି ରହିଛି।
ବିଶି ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ପୋଲିସ ସହ ଅଭିଯାନ ସମୟରେ କମାଣ୍ଡ ଗଠନରେ ସ୍ପଷ୍ଟତା ନ ଥିବାରୁ ସମସ୍ୟା ସୃଷ୍ଟି ହେବ। ବିଧେୟକରେ ଆଧୁନିକ ସୁରକ୍ଷା ଚ୍ୟାଲେଞ୍ଜ ମାଓବାଦ, ଆତଙ୍କବାଦ ଓ ସୀମା ପରିଚାଳନା ପାଇଁ ପ୍ରଯୁକ୍ତି, ସାଇବର କ୍ଷମତା ଓ ଆଧୁନିକ ସାଧନରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନାହିଁ। ମାନବାଧିକାର ସୁରକ୍ଷା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ଉତ୍ତରଦାୟୀତ୍ୱ କ୍ଷମତାରେ ସ୍ପଷ୍ଟ ବ୍ୟବସ୍ଥା ନାହିଁ।
କେନ୍ଦ୍ରୀକରଣ ବଢ଼ିବା ନେଇ ସେ କହିଛନ୍ତି ଯେ, ଏହା ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିପାରେ l ଭାରତୀୟ ପୋଲିସ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହା ଗୋଇନ୍ଦା ସୂଚନାରୁ ଆରମ୍ଭ କରି ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ସମନ୍ବୟ ରଖେ। ଏହାର ଭୂମିକା କମିଲେ ସମଗ୍ର ପ୍ରଣାଳୀ ପ୍ରଭାବିତ ହେବ ବୋଲି ସେ ସଚେତନ କରିଛନ୍ତି।
ଓଡ଼ିଶାର ଉଦାହରଣ ଦେଇ ସେ କହିଛନ୍ତି ଯେ, ବଲାଙ୍ଗୀର ସହିତ ଅନେକ ଅଞ୍ଚଳ ନକ୍ସଲମୁକ୍ତ ହୋଇଛି, ଯେଉଁଠାରେ ରାଜ୍ୟ ପୋଲିସର ମୁଖ୍ୟ ଭୂମିକା ଥିଲା ଓ କେନ୍ଦ୍ରୀୟ ବଳ ସହଯୋଗ କରିଥିଲେ। ସେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ୯୩,୦୦୦ ରୁ ଅଧିକ ଖାଲି ପଦ, କର୍ମଚାରୀଙ୍କ ସେବା ସୁବିଧା, ମାନସିକ ସ୍ବାସ୍ଥ୍ୟ ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ଉପରେ ଅଭାବ ନେଇ ସରକାରକୁ ଘେରିଥିଲେ।
ଏହା ସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପ୍ରତିନିଧିତ୍ୱ ଓ ବ୍ୟାକଲଗ ପଦ ପୂରଣରେ ବିଳମ୍ବ ଉପରେ ସେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ଶେଷରେ ମାନନୀୟ ଏମ୍ପି ସରକାରଙ୍କୁ ବିଲ୍ରେ ଆବଶ୍ୟକ ସଂଶୋଧନ କରି ସମନ୍ବୟ ଓ ସଂଘୀୟ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି କରିଥିଲେ।
ସେ ଲୋକ ସଭା ଏମ୍ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ଭାରତ, ଇଣ୍ଡୋନେସିଆ, ରୁଷିଆ ଦେଶର ଭୂମିପୁତ୍ର ବୈଶ୍ୱିକ ନେତା ତଥା ଆଧୁନିକ ଓଡିଶାର ନିର୍ମାତା, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ କରାଯାଇଥିବା ଅପମାନଜନକ ମନ୍ତବ୍ୟକୁ ମଧ୍ୟ ଘୋର ନିନ୍ଦା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l