କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସାରା ଓଡ଼ିଶାରେ କୁଡୁମୀ ସମ୍ପ୍ରଦାୟର ୩୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି। ଦିନ ଦିନ କୁଡୁମୀ ସମ୍ପ୍ରଦାୟ ଅବହେଳିତ ଅବସ୍ଥାରେ ରହିଛି। ୧୯୫୦ ସେପ୍ଟେମ୍ବର ୬ ଆଜିର ଦିନରେ ଭାରତ ସରକାର ଆଦିବାସୀ ଶବ୍ଦ ବଦଳରେ ଅନୁସୂଚିତ ଜନଜାତି ଶବ୍ଦ ପ୍ରଚଳନ କଲେ। କୌଣସି କାରଣ ନ ଦର୍ଶାଇ କୁଡୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ନୂତନ ତାଲିକାରୁ ବାଦ୍ ଦେଲେ।
ଯଦିଓ ଆଦିବାସୀ କୁଡୁମୀଙ୍କୁ ଶିକ୍ଷାଗତ ଅନଗ୍ରସର ଜନଜାତି ହିସାବରେ ଶିକ୍ଷାକ୍ଷେତ୍ରରେ ଯେଉଁ ସୁବିଧା ସରକାର ଦେଉଥିଲେ ୧୯୫୬ରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ।
ଆଜିର ଦିନ ଆଦିବାସୀ କୁଡୁମୀ ସମ୍ପ୍ରଦାୟ ପାଇଁ କଳା ଦିନ ଅଟେ। ଏହି କଳା ଦିବସରେ କାଳୀପଡ଼ିଆଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ଓଡ଼ିଶା କୁଡୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଏବଂ ସମ୍ପାଦକ ବିଶ୍ୱଜିତ୍ ମହାନ୍ତ। ପରିଶେଷରେ ଜିଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ଶୋଭାଯାତ୍ରାକୁ ଶେଷ କରାଯାଇଥିଲା।