ଓଡିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ କୃଷି ବିରୋଧୀ ନୀତି ଯୋଗୁ…

ଦିଗପହଣ୍ଡି,୨୨ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିଠାରେ ଓଡିଶା କୃଷକ ସଭାର ଅଷ୍ଟାଦଶ ଗଞ୍ଜାମ ଜିଲା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବଜାର ସାହି ଗୁଣ୍ଡିଚା ମନ୍ଦିର ଛକ ସଭାସ୍ଥଳରେ ପହଞ୍ଚତ୍ଥିଲା। କୃଷକ ସଭାର ପୂର୍ବତନ ଜିଲା ସଭାପତି କମ୍ରେଡ କୈଳାସ ଷଡଙ୍ଗୀ ସ୍ବାଗତ ସୂଚନା ଦେଇଥିଲେ। କୃଷକ ସଭାର ଗଞ୍ଜାମ ଜିଲା ସଭାପତି କମ୍ରେଡ ପି.ହରିକୃଷ୍ଣ ରେଡ୍ଡୀ ସଭାପତିତ୍ୱ କରିଥିଲେ। ସିପିଆଇ (ଏମ)ର ପ୍ରାକ୍ତନ ରାଜ୍ୟ ସମ୍ପାଦକ କମ୍ରେଡ ଅଳି କିଶୋର ପଟ୍ଟନାୟକ, କୃଷକ ସଭା ଜିଲା ସମ୍ପାଦକ କମ୍ରେଡ ଅଜୟ ଗୌଡ଼, ବିଦ୍ୟାଧର ଜେନା, ଗୋପାଳ ପାଣିଗ୍ରାହୀ, ଜନ୍ମେଜୟ ମିଶ୍ର, ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ କୁରେଶୁ ପଣ୍ଡା, ସମ୍ପାଦକ ପି.ଶିବଶଙ୍କର ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିରୋଧୀ ନୀତି ଯୋଗୁ ଚାଷୀ ଓ ଚାଷ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାକୁ ଲାଗିଛି। ଅନ୍ନଦାତାଙ୍କ ବିରୋଧରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ୩ଟି କଳା ଆଇନ ଚାଷୀଙ୍କ ତୀବ୍ର ଆନ୍ଦୋଳନ ଯୋଗୁ କେନ୍ଦ୍ର ସରକାର ଏହି ଆଇନକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। କୃଷକ ସଭାର ଲଢେଇ ଯୋଗୁଁ ଗଞ୍ଜାମ ଜିଲାରେ ବହୁସଂଖ୍ୟକ ଭୂମିହୀନ ଗରିବ ଦଳିତ ପରିବାର ଅନାବାଦୀ ସରକାରୀ ଜମି ଓ ଜଙ୍ଗଲ ଜମି ଦଖଲ କରି ଚାଷ କରିବା ସହ ପରିବାର ପ୍ରତିପୋଷଣ କରୁଛନ୍ତି। ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ କରି ଜନଜାତି ବର୍ଗଙ୍କୁ ପଟ୍ଟା ଦେବା ଓ ବାସହୀନଙ୍କୁ ଘର ପଟ୍ଟା ପ୍ରଦାନ ଦାବିରେ କୃଷକ ସଭା ସଂଗ୍ରାମ ଅବ୍ୟାହତ ରଖିଛି। ଭାଗଚାଷୀ ଆଇନ ପ୍ରଣୟନ କରି ସେମାନଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା। ଏମ୍‌ଜିଏନଆର୍‌ଇଜିଏସ୍‌ରେ ସମସ୍ତ କ୍ଷେତ ମଜଦୁରଙ୍କୁ ବର୍ଷସାରା କାମ ଯୋଗାଇଦେବା। ଜିଲାରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣ କରି ସବୁ ଜମିକୁ ଜଳସେଚନ ନେଇ ମଞ୍ଚାସୀନ ଅତିଥିମାନେ ଉଦ୍‌ବୋଧନ ଦେଇଥିଲେ। ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ ଅଳକନାଥ ମିଶ୍ର, କୃଷକ ସଭାର ବ୍ଲକ କମିଟି ସଭାପତି ସୁଶାନ୍ତ ଷଡଙ୍ଗୀ, ଆଇନଜୀବୀ ଗୋକୁଳାନନ୍ଦ ତ୍ରିପାଠୀ, ଉଜ୍ଜଳ ସାହୁ, ଭି.ସୁଦର୍ଶନ ରାଜୁ, ଅର୍ଦ୍ଦୁ ମାଧା, ଶଶୀଭୂଷଣ ରଥ, ପୁଷ୍ପଧ୍ୱଜ ସାହୁ, ରମାକାନ୍ତ ପ୍ରଧାନ, ଡି.ଅନ୍ତର୍ଯ୍ୟାମୀ, କିଶୋର ଚନ୍ଦ୍ର ଜେନା, ପି.ଗୋବିନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସ୍ଥାନୀୟ କଳିଙ୍ଗବୈଶ୍ୟ ଭବନ ସଭା ଗୃହରେ କୃଷକ ସଭାର ପ୍ରତିନିଧି ସମ୍ମିଳନୀ ଉଦ୍‌ଘାଟନ ହୋଇଥିଲା।