ଭଞ୍ଜନଗରରେ କାଳୀ ପୂଜା: ସାଂସ୍କୃତିକ କାର୍ଯ୍ୟକ୍ରମ ଜମିଲା; ଆଧ୍ୟାତ୍ମିକ ନାଟକ ସହ ଖାଦ୍ୟ ଷ୍ଟଲରେ…

ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗର ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ କାଳୀ ପୂଜା ଧୁମ୍‌ଧାମରେ ଚାଲିଛି। ଦୁଇଦିନ ହେବ ଉଭୟ ପୂଜା ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ଗୁରୁବାର ପୁଣି ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି। ଏଥିସହ ହାର୍ଟ ନଗରରେ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ଷ୍ଟଲ ଖୋଲିଛି। ସେଗୁଡ଼ିକରେ ଭିଡ଼ ଜମୁଛି। ହାର୍ଟନଗରରେ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଘୁମୁସର ନର୍ଥ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ଘୁମୁସର ସାଉଥ ଡିଏଫ୍‌ଓ ବିପାସା ପାରୁଲ, ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବନ ବିଭାଗର ଅବସରପ୍ରାପ୍ତ ଏବଂ ବର୍ତ୍ତମାନର କର୍ମଚାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଡହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେଠାରେ ପାରମ୍ପରିକ ଆଧ୍ୟାତ୍ମିକ ନାଟକ ପରିବେଷଣ ହୋଇଥିଲା। ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ,ଡହ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ଭଞ୍ଜନଗର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Share